ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ପାଟଣା ଥାନା ଗାଲଫୁଲା ଗ୍ରାମରେ ଆଜି ଏକ ଘର ଭିତରୁ ଜଣେ ଯୁବକର ଝୁଲନ୍ତା ମୃତ ଦେହ ଉଦ୍ଧାର ହୋଇଛି। ପ୍ରେମରେ ବିଫଳ ହେବାରୁ ଆତ୍ମହତ୍ୟା କରିଥିବା ଅଭିଯୋଗ ହେଉଛି। ସୋମବାର ଯୁବକ ଜଣଙ୍କ ନିଜ ଘରର ସ୍କାଇଲାଇଟରେ ମା’ର ଲୁଗାରେ ଝୁଲିପଡ଼ିଥିବା ଦେଖିବାକୁ ମିଳିଥିଲା। ମୃତ ଯୁବକ ଜଣଙ୍କ ରାଧାକାନ୍ତ ନାୟକଙ୍କ ପୁଅ ସାଗର ନାୟକ(୨୦)।
ଏ ସମ୍ପର୍କରେ ମୃତ ଯୁବକର ମା’ଙ୍କ କହିବା ଅନୁସାରେ ସାଗର ଜଣେ ଯୁବତୀକୁ ଭଲ ପାଇବା ସହିତ ଫୋନରେ କଥା ହେଉଥିଲେ। ଗତକାଲି ରାତିରେ କୌଣସି ଘଟଣାକୁ ନେଇ ଏପରି ଘଟଣା ଘଟିଥିବା କହିଛନ୍ତି। ତେବେ ଆଜି ସକାଳୁ ଘର ଲୋକେ ସାଗରଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖି ପୁଲିସକୁ ଖବର ଦେଇଥିଲେ। ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଛି। ଏନେଇ ପାଟଣା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।