ଝୁଲନ୍ତା ଅବସ୍ଥାରେ ଯୁବତୀର ମୃତଦେହ ଉଦ୍ଧାର

ମୁନିଗୁଡ଼ା,ଏନ୍‌ଏନ୍‌ଏସ୍‌: ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ବ୍ଲକ ସଦର ମହକୁମା ଅନ୍ତର୍ଗତ ଗୋବର୍ଦ୍ଧନ ସାହିରେ ଏକ ଭଡ଼ା ଘରୁ ଜଣେ ଯୁବତୀର ମୃତଦେହ ଉଦ୍ଧାର କରାଯାଇଛି । ମୃତ ଯୁବତୀ ଜଣଙ୍କ ହେଲେ ଏମ.ରାମପୁର ଥାନା ଅନ୍ତର୍ଗତ ଗୌଡ଼ କର୍ଲାଖୁଣ୍ଟା ଗ୍ରାମର ଅଦଲ ମାଝୀଙ୍କ ଝିଅ ହରିପ୍ରିୟା ମାଝୀ(୨୪) । ମିଳିଥିବା ରିପୋର୍ଟ ମୁତାବକ, ହରିପ୍ରିୟା ଗୋବର୍ଦ୍ଧନ ସାହିରେ ୪ ମାସ ହେବ ଏକ ଭଡ଼ା ଘରେ ରହି ମୁନିଗୁଡ଼ାରେ କମ୍ପ୍ୟୁଟର ଟ୍ରେନିଂ ନେଉଥିବା ସ୍ଥାନୀୟ ଲୋକଙ୍କଠାରୁ ଶୁଣିବାକୁ ମିଳୁଥିଲା । ଦୀର୍ଘ ବର୍ଷ ତଳେ ହରପ୍ରିୟା ବେଙ୍ଗଲୁରୁରେ ରହି କିଛି କାମ କରୁଥିଲା କିନ୍ତୁ କୌଣସି କାରଣରୁ ସେଠାରୁ ଫେରିଆସି ମୁନିଗୁଡ଼ାରେ କମ୍ପ୍ୟୁଟର ଟ୍ରେନିଂ ନେଉଥିବା ପରିବାର ସଦସ୍ୟ କହିଛନ୍ତି । ଗତ ୪ ଦିନ ହେବ ପରିବାର ତରଫରୁ ଝିଅକୁ ବାରମ୍ବାର ଫୋନ୍ କରିବା ସତ୍ତ୍ୱେ ଯୋଗାଯୋଗ ନହେବାରୁ ଭାଇ ଫକିର ମାଝୀ ଗତକାଲି ସନ୍ଧ୍ୟାରେ ହରପ୍ରିୟା ରହୁଥିବା ଭଡ଼ା ଘରେ ଆସି ପହଞ୍ଚିଥିଲେ । ଭଡ଼ା ଘର ଦାଣ୍ଡ ପଟ କବାଟ ଦିଆଯାଇଥିବାରୁ ଫକିର ପଛ ପଟୁ ଘର ଭିତରକୁ ଯାଇ ତା’ ଭଉଣୀ ହରପ୍ରିୟାର ମୃତଶରୀର ଛାତରେ ଝୁଲି ପଡ଼ିଥିବା ଦେଖିଥିଲା । ବେକରେ ରଶି ଲାଗି ମୃତ୍ୟୁ ହୋଇଥିବାରୁ ଶରୀର ବିଭତ୍ସ ହୋଇଯାଇଥିଲା । ଭଉଣୀର ଏଭଳି ମୃତ୍ୟୁକୁ ନେଇ ଫକିର ମୁନିଗୁଡ଼ା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଖବର ପାଇ ଏସଡିପିଓ ସନ୍ତୋସିନି ଓରାମଙ୍କ ସହିତ ମୁନିଗୁଡ଼ା ଥାନାଧିକାରୀ ସୌଦାମିନୀ ବେହେରା,ଏସ୍‌ଆଇ ମନୋରଞ୍ଜନ ବିଶ୍ୱାଳ ଓ ଚକ୍ରଧର ବେହେରା ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିଥିଲେ ଏବଂ ସାଇଣ୍ଟିଫିକ ଟିମ୍ ସହିତ ମିଶି ତଦନ୍ତ ଜାରୀ ରଖିଛନ୍ତି । ହରପ୍ରିୟାର ମୃତ୍ୟୁ ପଛର କାରଣ ଅସ୍ପଷ୍ଟ ଥିଲେ ମଧ୍ୟ ରହସ୍ୟକୁ ପର୍ଦାଫାଶ କରିବା ନିହାତି ଜରୁରୀ ବୋଲି ମୁନିଗୁଡ଼ା ଅଞ୍ଚଳବାସୀ ଓ ପରିବାରରବର୍ଗଙ୍କ ତରଫରୁ ପୁଲିସକୁ ନିବେଦନ କରାଯାଇଛି ।