ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ପତ୍ନୀ ଆଣିଲେ ହତ୍ୟା ଅଭିଯୋଗ

ପାଟଣାଗଡ଼,ଏନ୍‌ଏନ୍‌ଏସ୍‌: ପାଟଣାଗଡ଼ ବ୍ଲକ ଅନ୍ତର୍ଗତ ଯୋଗୀମୁଣ୍ଡା ଗ୍ରାମର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ମୃତକ ଜଣକ ହେଲେ ନେପାଳ ମେହେର(୨୮) । ନେପାଳଙ୍କ ମୃତଦେହ ତାଙ୍କ ବାସଭବନରୁ ଉଦ୍ଧାର କରାଯାଇଥିବାବେଳେ ପତ୍ନୀ ଗୀତାଞ୍ଜଳୀ(୨୪) ତାଙ୍କ ସ୍ୱାମୀଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରି କାକା ଶ୍ୱଶୁର, କାକୀ ଶାଶୁ ଏବଂ ଅନ୍ୟମାନଙ୍କ ନାଁରେ ପାଟଣାଗଡ଼ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

ଅଭିଯୋଗ ଅନୁଯାୟୀ, ନେପାଳ ମେହେର ବୁଲି ବୁଲି ପ୍ରସାଧନ ସାମଗ୍ରୀ ବିକ୍ରି କରି ଚଳିଥାଆନ୍ତି । ଗତ କିଛିଦିନ ତଳେ କାକାଘର ପରିବାର ପକ୍ଷରୁ କାକା ମାୟାଧର ମେହେର, ସେବା ମେହେର, ସୁଜନ ମେହେର, ନେପାଳ ଓ ଗୀତାଞ୍ଜଳୀ ମୃତ ନେପାଳଙ୍କ ସହ ଝଗଡ଼ା କରି ଘରୁ ତଡ଼ି ଦେଇଥିଲେ । କେବଳ ସେତିକି ନୁହେଁ, ଘରକୁ ଫେରିଲେ ନେପାଳ ଓ ପତ୍ନୀ ଗୀତାଞ୍ଜଳୀଙ୍କୁ ଜୀବନରୁ ମାରି ଦେବାର ଧମକ ମଧ୍ୟ ଦେଇଥିଲେ । ଫଳରେ ଉଭୟ ସ୍ୱାମୀ-ସ୍ତ୍ରୀ ବନାଇମୁଣ୍ଡାରେ ତାଙ୍କ ବାପା ସୁଦାମ ମେହେରଙ୍କ ଘରେ ରହୁଥିଲେ । ତେବେ ଗତ ୩୧ ତାରିଖରେ ନେପାଳ ପ୍ରସାଧନ ସାମଗ୍ରୀ ବିକ୍ରି କରିବା ପାଇଁ ଯୋଗୀମୁଣ୍ଡା ଯାଇ ଘରକୁ ନ ଫେରିବାରୁ ୧ ତାରିଖ କିଛି ଲୋକଙ୍କ ସହ ଗୀତାଞ୍ଜଳୀ ତାଙ୍କୁ ଖୋଜିବାକୁ ବାହାରିଥିଲେ । ଯୋଗୀମୁଣ୍ଡାରେ ପହଞ୍ଚିବା ପରେ ନେପାଳଙ୍କୁ ପାଟଣାଗଡ଼ ଡାକ୍ତରଖାନା ଅଣାଯାଇଥିବା ଖବର ପାଇ ସେମାନେ ସେଠାରେ ପହଞ୍ଚିଥିଲେ । ହେଲେ ନେପାଳଙ୍କ ମୃତ୍ୟୁ ହୋଇସାରିଥିବା ଜାଣିବାକୁ ପାଇଥିଲେ । ପୁଲିସ ଶବକୁ ଜବତ କରିବା ସହ ଆଜି ସକାଳେ ଅପମୃତ୍ୟୁ ତଦନ୍ତ କରିବା ପରେ ଶବ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । ଏ ସଂକ୍ରାନ୍ତରେ ପାଟଣାଗଡ଼ ଥାନାରେ ଏକ ମାମଲା ରୁଜୁ ହୋଇଥିବାବେଳେ ଅଧିକ ତଦନ୍ତ ପରେ ପ୍ରକୃତ ସତ ସାମ୍ନାକୁ ଆସିବ ବୋଲି ଥାନାଧିକାରୀ ଅନନ୍ତ ପ୍ରଧାନ କହିଛନ୍ତି ।