ଜୋର୍ଡାନ ଯୁବରାଜ ହାମଜା ଗୃହବନ୍ଦୀ

ଅମନ୍, ଏଜେନ୍ସି: ମଧ୍ୟପ୍ରାଚ୍ୟ ରାଷ୍ଟ୍ର ଜୋର୍ଡାନର ଯୁବରାଜ ହାମଜା ବିନ୍ ହୁସେନ ଓ ତାଙ୍କର ଜଣେ ସହଯୋଗୀ ବସିମ୍ ଆୱାଦୁଲ୍ଲାଙ୍କୁ ରବିବାର ଗୃହବନ୍ଦୀ କରାଯାଇଥିବା ଜଣାପଡିଛି। ହାମଜା ହେଉଛନ୍ତି ଜୋର୍ଡାନର ରାଜା ଅବଦୁଲ୍ଲା ଦ୍ୱିତୀୟଙ୍କ ସାବତ ଭାଇ। ସାମରିକ ବିଦ୍ରୋହ ଜରିଆରେ କ୍ଷମତା ଅକ୍ତିଆର କରିବାକୁ ଷଡଯନ୍ତ୍ର କରୁଥିବା ଅଭିଯୋଗରେ ଯୁବରାଜ ହାମଜା ଓ ତାଙ୍କ ସହଯୋଗୀଙ୍କୁ ଗୃହବନ୍ଦୀ କରାଯାଇଛି ବୋଲି ଜାତୀୟ ସମ୍ବାଦ ସରବରାହ ସଂସ୍ଥା ପେଟ୍ରା ନ୍ୟୁଜ୍ ପକ୍ଷରୁ ଏକ ବିବୃତିରେ କୁହାଯାଇଛି। ଅବଦୁଲ୍ଲାଙ୍କ ଶାସନ କାଳରେ ଦେଶରେ ଭ୍ରଷ୍ଟାଚାର, ଦୁର୍ନୀତି ବ୍ୟାପକ ହୋଇଛି ବୋଲି ଯୁବରାଜ କୁଆଡେ ବିଭିନ୍ନ ସଭାସମିତିରେ ଅଭିଯୋଗ କରିଛନ୍ତି। ତେବେ ଗୃହବନ୍ଦୀ ହେବାପରେ ହାମଜାଙ୍କ ଟେଲିଫୋନ ଲାଇନ କଟାଯାଇଥିବାବେଳେ ଇଣ୍ଟରନେଟ୍ ସେବାକୁ ମଧ୍ୟ ରଦ୍ଦ କରାଯାଇଛି। ଅପରପକ୍ଷରେ ହାମଜା ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସୂଚନାଯୋଗ୍ୟ ଜୋର୍ଡାନର ଆଦିବାସୀ ସଂପ୍ରଦାୟରେ ହାମଜାଙ୍କର ଯଥେଷ୍ଟ ଲୋକପ୍ରିୟତା ରହିଥିବାବେଳେ ସେନା ମଧ୍ୟ ତାଙ୍କୁ ସମର୍ଥନ କରିଆସୁଛି। ପୂର୍ବରୁ ଅନୁରୂପ ଅଭିଯୋଗ ହୋଇଥିବାବେଳେ ୨୦୦୪ରେ ହାମଜାଙ୍କ ଉପରୁ ଯୁବରାଜ ପଦ ପ୍ରତ୍ୟାହାର କରାଯାଇଥିଲା।