ପୂର୍ବତନ ରାଷ୍ଟ୍ରପତି ହାମିଦ କର୍ଜାଇଙ୍କୁ ଗୃହବନ୍ଦୀ କଲା ତାଲିବାନ
- କାବୁଲ: ଆଫଗାନିସ୍ତାନରେ ଘଡିକେ ଘୋଡା ଛୁଟୁଛି । ଦେଇଥିବା ପ୍ରତିଶ୍ରୁତିରୁ ଓହରିବାରେ ଲାଗିଛି ତାଲିବାନ। ଯାହାର ଏକ ଉଦାହରଣ କ୍ରମରେ ତାଲିବାନ ପୂର୍ବତନ ରାଷ୍ଟ୍ରପତି ହାମିଦ କର୍ଜାଇଙ୍କୁ ଗୃହବନ୍ଦୀ କରିଛି। ତାଲିବାନ ଆଗରୁ ସର୍ବକ୍ଷମା ଘୋଷଣା କରିଥିଲା କିନ୍ତୁ ଗୁରୁବାର ଅଚାନକ ତାଲିବାନ ପୂର୍ବତନ ରାଷ୍ଟ୍ରପତି କର୍ଜାଇଙ୍କ ସମେତ ଆଫଗାନିସ୍ତାନର ଜଣାଶୁଣା ୱାରଲର୍ଡ୍ ତଥା ଜାତୀୟ ବୁଝାମଣା ପରିଷଦର ଅଧ୍ୟକ୍ଷ ଅବଦୁଲ ଅବଦୁଲାଙ୍କୁ ଗୃହବନ୍ଦୀ କରିଛି।
- ଗାଡି ଜବତ, ସୁରକ୍ଷା ହଟିଲା:
- ତାଲିବାନ ଗୁରୁବାର କର୍ଜାଇଙ୍କ ବ୍ୟକ୍ତିଗତ ଗାଡିକୁ ଜବତ କରିବା ସହିତ ତାଙ୍କ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ ହଟାଇ ଦେଇଛି। ସୂଚନାଯୋଗ୍ୟ ଯେ,ତାଲିବାନ କାବୁଲରେ ପ୍ରବେଶ କରିବା ପରେ ପ୍ରଥମେ ଏହି ଦୁଇ ନେତାଙ୍କୁ ସାକ୍ଷାତ କରିଥିଲା। ଏକ ମିଳିତ ସରକାର ଗଠନ ପାଇଁ ଏହି ଦୁଇ ନେତା ତାଲିବାନ ସହିତ ଆଲୋଚନା କରୁଥିଲେ। ତାଲିବାନ ମଧ୍ୟ ନିଜ ତରଫରୁ ସର୍ବକ୍ଷମା କଥା ଘୋଷଣା କରିଥିଲା। କହିଥିଲା ଯେ, କୌଣସି ରାଜନୈତିକ ଶତ୍ରୁତା ରଖି କାହା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ। କିନ୍ତୁ ଏହି ନୂଆ ଘଟଣାକ୍ରମରୁ ଲାଗୁଛି ତାଲିବାନ କେବଳ ଲୋକଦେଖାଣିଆ ପ୍ରତିଶ୍ରୁତି ଦେଇଥିଲା। ତାଲିବାନ ଆଫଗାନିସ୍ତାନ ଉପରେ ନିଜ ବ୍ରାଣ୍ଡର ଇସଲାମିକ ଶାସନ ଲାଗୁ କରିବାକୁ ଚାହୁଁଛି। ଯେଉଁଥିରେ କର୍ଜାଇ କିମ୍ବା ଅନ୍ୟ କୌଣସି ଗୋଷ୍ଠୀର କିଛି ଭୂମିକା ରହିବ ନାହିଁ। ଏହି ଦୁଇ ନେତା ତାଲିବାନର ଦୟା ଉପରେ ନିର୍ଭର କରୁଥିଲେ। ଏବେ ସେମାନଙ୍କ ସୁରକ୍ଷା ବ୍ୟବସ୍ଥା ପ୍ରତ୍ୟାହର ଦ୍ୱାରା ଏହି ଦୁଇ ନେତାଙ୍କ ଜୀବନ ପ୍ରତି ବିପଦ ରହିଛି। ବୁଧବାର ତାଲିବାନ ଅବଦୁଲା ଅବଦୁଲଙ୍କ ଘର ତଲାସି କରିଥିଲା।
- କ’ଣ ପାଇଁ ଗୃହବନ୍ଦୀ କଲା ତାଲିବାନ:
- ଏହି ଦୁଇ ନେତାଙ୍କୁ ତାଲିବାନ କ’ଣ ପାଇଁ ହଠାତ ନଜରବନ୍ଦୀ କରିଛି ତାହା ଜଣାପଡିନାହିଁ। କାରଣ ଏହି ଦୁଇ ଜଣଙ୍କର ତାଲିବାନ ସହିତ ଆଗରୁ ମଧ୍ୟ ଆଲୋଚନା ଚାଲିଥିଲା। ଏପରିକି ଦୁଇ ନେତାଙ୍କୁ ସରକାରରେ ସାମିଲ କରିବାକୁ ତାଲିବାନ ଚିନ୍ତା କରୁଥିବା କଥା କୁହାଯାଉଥିଲା। କିନ୍ତୁ ଏବେ ସେମାନଙ୍କୁ ଗୃହବନ୍ଦୀ କରିବା ପଛରେ କାରଣ କ’ଣ ରହିଛି ତାହା ସାମ୍ନାକୁ ଆସିନାହିଁ।