ଥମୁନି ଜନନୀ ଯନ୍ତ୍ରଣା: ଭାରରେ ଗଲାବେଳେ ଅଧା ବାଟରେ ପ୍ରସବ

କୋରାପୁଟ,ଏନ୍ଏନ୍ଏସ୍: ରାସ୍ତା ଖରାପ ଥିବାରୁ ଆମ୍ବୁଲାନ୍ସ ପହଞ୍ଚି ନପାରିବାରୁ ଗର୍ଭବତୀଙ୍କୁ ଭାରରେ ବୋହି ଆମ୍ବୁଲାନ୍ସ ନିକଟକୁ ନେବାବେଳେ ଅଧା ବାଟରେ ପ୍ରସବ ହୋଇଛି। ଏଭଳି ଏକ ଘଟଣା ଦଶମନ୍ତପୁର ବ୍ଲକ୍ ଗିର୍ଲିଗୁମ୍ମା ପଞ୍ଚାୟତର କିରାଆମ୍ବ ଗ୍ରାମରେ ଦେଖିବାକୁ ମିଳିଛି।

ମିଳିଥିବା ରିପୋର୍ଟ ମୁତାବକ, କିରାଆମ୍ବ ଗ୍ରାମର ବିନୋଦ ମୁଦୁଲିଙ୍କ ସ୍ତ୍ରୀ ରେଣୁକା ମୁଦୁଲି ସୋମବାର ପୂର୍ବାହ୍ନରେ ପ୍ରସବ ଯନ୍ତ୍ରଣା ଅନୁଭବ କରିଥିଲେ। ବିନୋଦ ଗ୍ରାମର ଆଶା ଦୀଦୀଙ୍କୁ ଜଣାଇବା ପରେ ସେ ୧୦୨କୁ ଫୋନ୍ କରିଥିଲେ। କିନ୍ତୁ ୧୦୨ ଉପଲବ୍ଧ ନଥିବା ସୂଚନାପାଇ ୧୦୮କୁ ଫୋନ୍ କରିଥିଲେ । ସୌଭାଗ୍ୟବଶତଃ ୧୦୮ ଆମ୍ବୁଲାନ୍ସ ହସ୍ପିଟାଲରୁ ଗର୍ଭବତୀ ରେଣୁକାକୁ ଆଣିବା ପାଇଁ କିରାଆମ୍ବ ଗ୍ରାମ ଅଭିମୁଖେ ବାହାରିଥିଲା। କିନ୍ତୁ ରାସ୍ତା ଖରାପ ଥିବାରୁ କିରାଆମ୍ବଠାରୁ ୧ କିଲୋମିଟର ଦୂର ଟିକରପୋଡ଼ା ଛକରେ ଅପେକ୍ଷା କରିଥିଲା। ବିନୋଦ ଗ୍ରାମବାସୀଙ୍କ ସହଯୋଗରେ ସ୍ତ୍ରୀ ରେଣୁକାକୁ ଏକ ଖଟରେ ଭାର କରି ଛକ ଯାଏ ନେଇ ଯିବାକୁ ବାହାରିଥିଲେ। ରେଣୁକାକୁ ଲୋକେ ଭାର କରି ବୋହି ଆଣିବା ସମୟରେ ଅଧା ରାସ୍ତାରେ ପ୍ରସବ ଯନ୍ତ୍ରଣା ଅଧିକ ହୋଇଥିଲା ଓ ସେହି ରାସ୍ତାକଡ଼ରେ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ। କିଛି ସମୟ ପରେ ଗ୍ରାମବାସୀ ପ୍ରସୁତୀ ଓ ନବଜାତକ ଶିଶୁକୁ ଆମ୍ବୁଲାନ୍ସ ନିକଟରେ ପହଞ୍ଚାଇବା ପରେ ଉଭୟଙ୍କୁ ଦଶମନ୍ତପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ଏବେ ମା’ ଓ ନବଜାତକ ଶିଶୁର ସ୍ୱାସ୍ଥ୍ୟବସ୍ଥା ଠିକ୍ ଥିବା ଜଣାପଡ଼ିଛି।