ଲସ୍କର ଆତଙ୍କୀ ହାଫିଜ୍ ସୟିଦକୁ ୧୧ ବର୍ଷ ଜେଲ୍

ଇସଲାମାବାଦ,ଏଜେନ୍ସି: କୁଖ୍ୟାତ ଆତଙ୍କୀ ସଂଗଠନ ଲସ୍କର-ଇ-ତୋଇବାର ପ୍ରତିଷ୍ଠାତା ହାଫିଜ୍ ସୟିଦକୁ ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ନେଇ ଦୁଇଟି ମାମଲାରେ ପାକିସ୍ତାନର ଏକ କୋର୍ଟ ବୁଧବାର ୧୧ ବର୍ଷ ଜେଲ୍ ଦଣ୍ଡାଦେଶ କରିଛନ୍ତି। ଗତବର୍ଷ ଗିରଫ ହୋଇଥିବା ହାଫିଜ୍ ସୟିଦକୁ ଆତଙ୍କୀ ମାମଲାରେ ପ୍ରଥମଥର ପାଇଁ ଦୋଷୀ ସାବ୍ୟସ୍ତ କରାଯାଇଛି। ଆତଙ୍କୀଙ୍କୁ ପାଣ୍ଠି ଯୋଗାଣ ନିରୋଧ ଅନ୍ତର୍ଜାତୀୟ ସଂଗଠନ ଫାଇନାନ୍ସିଆଲ୍ ଆକ୍ସନ୍ ଟାସ୍କଫୋର୍ସ (ଏଫଏଟିଏଫ)ର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବା ପୂର୍ବରୁ ତା’ ବିରୋଧରେ ଏଭଳି ଦଣ୍ଡାଦେଶ ହୋଇଛି।

୨୬/୧୧ ମୁମ୍ବାଇ ହମଲାର ମାଷ୍ଟରମାଇଣ୍ଡ୍ ହାଫିଜ୍ ସୟିଦ୍ ବିରୋଧରେ ଆତଙ୍କୀଙ୍କୁ ପାଣ୍ଠି ଯୋଗାଣ ସମ୍ପର୍କିତ ମାମଲାର ବିଚାର ଚାଲିଥିଲା। ଉଲ୍ଲେଖଯୋଗ୍ୟ ପାକିସ୍ତାନକୁ ଏଫଏଟିଏଫ୍ ଗ୍ରେ ଲିଷ୍ଟ (ଧୂସର ତାଲିକା)ରେ ଅନ୍ତର୍ଭୁକ୍ତ କରିଥିବାରୁ ଏଥିôରୁ ବର୍ତ୍ତିବା ପାଇଁ ଇସଲାମାବାଦ ହାଫିଜ୍ ସୟିଦ୍ ବିରୋଧରେ ଏଭଳି ପଦକ୍ଷେପ ନେଇଛି। ପାକିସ୍ତାନର ଏକ ଆତଙ୍କୀ ନିରୋଧ କୋର୍ଟର ଜଣେ ଅଧିକାରୀ କହିଛନ୍ତି, ଆତଙ୍କୀଙ୍କୁ ପାଣ୍ଠି ଯୋଗାଣ ନେଇ ହାଫିଜ୍ ସୟିଦ୍ ବିରୋଧରେ ଲାହୋର ଓ ଗୁଜରାନୱାଲାରେ ଦୁଇଟି ମାମଲା ରୁଜୁ ହୋଇଥିଲା। କୋର୍ଟ ଏହି ଦୁଇ ମାମଲାରେ ହାଫିଜ୍ ସୟିଦକୁ ୧୧ ବର୍ଷ ଜେଲ୍ ଓ ୩୦ ହଜାର ଟଙ୍କା ଜୋରିମାନା ହୋଇଛି।