ହକରଙ୍କୁ ଷ୍ଟେସନ ବାରଣର ପ୍ରତିବାଦ : ୩୦ରେ ଜିଏମ୍ କାର୍ୟ୍ୟାଳୟ ଘେରାଉ

ଜଟଣୀ, ଏନ୍ଏନ୍ଏସ୍ : ରେଳ ମନ୍ତ୍ରାଳୟର ନିର୍ଦ୍ଦେଶ କ୍ରମେ ସମସ୍ତ ରେଳ ଷ୍ଟେସନ ଗୁଡିକରେ ବୁଲା ବିକାଳି ଭାବେ ନିୟୋଜିତ ଥିବା ହକର ମାନଙ୍କୁ ତୁରନ୍ତ ଷ୍ଟେସନରୁ ହଟାଇବା ଲାଗି ବ୍ୟବସ୍ଥା ପ୍ରତିବାଦରେ କେନ୍ଦ୍ର ସରକାର ଓ ରେଳବିଭାଗର ମଜଦୁର ମାରଣ ନୀତି ବିରୋଧରେ ଓଡିଶା ରେଲୱେ ହକର୍ସ ୟୁନିୟନ ପକ୍ଷରୁ ଚଳିତ ମାସ ୩୦ ରେ ଭୁବନେଶ୍ୱର ସ୍ଥିତ ରେଲୱେ ଜିଏମ୍ କାର୍ୟ୍ୟାଳୟ ଘେରାଉ କରାଯିବ ।

ବର୍ଷ ବର୍ଷ ଧରି ବଂଶାନୁକ୍ରମେ ଇଷ୍ଟ କୋଷ୍ଟ ରେଲୱେ ଖୋର୍ଦ୍ଧାରୋଡ ଡିଭିଜନରେ ୧୨ ହଜାରରୁ ଉଦ୍ଧ୍ୱର୍ ମହିଳା ଓ ପୁରୁଷ ଷ୍ଟେସନ ଗୁଡିକରେ ହକରିଂ କରି ପରିବାର ପ୍ରତିପୋଷଣ କରିଥାନ୍ତି । କେନ୍ଦ୍ର ସରକାର ଏବଂ ରେଳ ମନ୍ତ୍ରାଳୟ ମିଳିତ ଭାବେ ଏମାନଙ୍କ ହକରିଂ ପ୍ରତି ଅଙ୍କୁଶ ଲଗାଇ ଦିର୍ଘ ୫ ବର୍ଷ ହେଲା ହଇରାଣ ହରକତ କରୁଛନ୍ତି । ଏହା ପୂର୍ବରୁ ଉକ୍ତ ହକର ମାନଙ୍କ ପ୍ରତି ଏହିଭଳି ସମସ୍ୟା ଉପୁଜିବାରୁ ରେଳ ପ୍ରଶାସନ ପକ୍ଷରୁ ଆଲୋଚନା କରାଯାଇ, ରେଳ ପ୍ରଶାସନିକ ଅଧିକାରୀ ମାନଙ୍କୁ ମାସିକ ୫ ରୁ ୬ ହଜାର ଟଙ୍କା ଦେଇ ଆସୁଛନ୍ତି, ବୋଲି ସ୍ଥାନିୟ ଛଣଘର କୁସୁମାଟି ନିକଟସ୍ଥ ଟ୍ୟାଙ୍କର ଲରି ୟୁନିୟନ ଅଫିସ ଠାରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ସିଆଇଟିୟୁର ରାଜ୍ୟ ଉପ ସଭାପତି ଜନାର୍ଦନ ପତି କହିଛନ୍ତି ।

ସେହିପରି ଏହି କାର୍ୟ୍ୟକ୍ରମରେ ପଶ୍ଚିମବଙ୍ଗ ହକର୍ସ ଆସୋସିଏସନ୍ ନେତା କୟୁମ୍ ଖାନ୍ କୁହନ୍ତି, ତକ୍ରାଳିନ ପ୍ରଧାନମନ୍ତ୍ରୀ ବିଗତ ଦିନରେ ହକର୍ସ ମାନଙ୍କ ପାଇଁ ରେଳ ମନ୍ତ୍ରୀଙ୍କ ସହିତ ସୁପାରିସ କରି ସେମାନଙ୍କୁ ହକରିଂ ବ୍ୟବସ୍ଥା କରିଥିଲେ । ଆଜି ମଧ୍ୟ ଇଷ୍ଟର୍ଣ୍ଣ ରେଲୱେ ରେ ହକରିଂ ବଳବତର ରହିଛି । ହେଲେ ଇଷ୍ଟକୋଷ୍ଟ ରେଲୱେରେ ଏପରି କାହିଁକି କରାଯାଇଛି । ପୂର୍ବରୁ କିଛି ହକର ମାନଙ୍କୁ ତକ୍ରାଳିନ ରେଳମନ୍ତ୍ରୀ ସ୍ଥାୟୀ ନିଯୁକ୍ତି ପ୍ରଦାନ କରିଥିଲେ । ମାତ୍ର ଏବେ ଏମାନଙ୍କ ପେଟକୁ କାହିଁକି ଲାତ ମାରୁଛନ୍ତି,ବୋଲି କେନ୍ଦ୍ର ସରକାର ଏବଂ ରେଳ ମନ୍ତ୍ରାଳୟ ଉଭୟଙ୍କ ଉଦ୍ଦେଶ୍ୟରେ ପ୍ରଶ୍ନ କରିଥିଲେ ।

ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ସିଆଇଟିୟୁର ଜଟଣୀ ଶାଖା ସଭାପତି ସାରଂଗଧର ବେହେରା, ଖୋର୍ଦ୍ଧା ଜିଲା ସଂପାଦକ ୈଶଳେଶ ବଳିୟାରସିଂହ, ଜିଲା ସଭାପତି ଗିରିଶ ମହାରଣା, ଖୋର୍ଦ୍ଧା ଜିଲା ସିପିଆଇଏମ୍ ନେତା ଅନନ୍ତ ମଂଗରାଜ, ଖୋର୍ଦ୍ଧା ଜିଲା ହକର୍ସ ୟୁନିୟନ୍ ସଂପାଦକ ଦୟାନିଧି କୁଣ୍ଡୁ ପ୍ରମୁଖ ଯୋଗ ଦେଇଥିଲେ ।