ଗୁରୁପ୍ରିୟା ସେତୁ ନିର୍ମାଣର ଦେଢ଼ ବର୍ଷ ନପୁରୁଣୁ ଆରମ୍ଭ ହେଲା ମରାମତି କାର୍ଯ୍ୟ

କୋରୁକୋଣ୍ଡା,ଏନ୍ଏନ୍ଏସ୍ : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ୱାଭିମାନ ତଥା ବିଛିନାଞ୍ଚଳର ୮ ଗୋଟି ଗ୍ରାମ ପଞ୍ଚାୟତ ଯଥା- ବଡ଼ପଡ଼ା, ପାପରମେଟଲା, ଧୂଳିପୁଟ, ଯୋଡ଼ାମ୍ବ, ଯନ୍ତ୍ରୀ, ପଣଷପୁଟ, ଅଣ୍ଡିରାପାଲି ଏବଂ ଗାଜୁଲୁମାମୁଢି ପଞ୍ଚାୟତ ର ୧୫୧ ଖଣ୍ଡ ଆଦିବାସୀ ଅଧ୍ୟୁଷିତ ଗାଁ ଜଳ ବନ୍ଦୀ ଭିତରେ ଦୀର୍ଘ ବର୍ଷ ଧରି ରହି ଆସୁଥିଲେ। ସରକାର ଗୁରୁପ୍ରିୟା ସେତୁ ନିର୍ମାଣ କରି ଉଦଘାଟନ କରିବା ପରେ ବିଛିନାଞ୍ଚଳର ଲାଇଫଲାଇନ ସାଜିଥିବା ଏହି ଗୁରୁପ୍ରିୟା ସେତୁ ଉଦଘାଟନ ହେବାର ଦେଢ଼ ବର୍ଷ ନପୁରୁଣୁ ଗୁରୁପ୍ରିୟା ସେତୁର ମଝିରେ ଥିବା ୧୬ ନମ୍ବର ପିଲରର ଦୁଇ ପାର୍ଶ୍ୱରେ ଥିବା ଗାର୍ଡବାଲର ଏକ୍ସପାନସନ ଜଏଣ୍ଟ ନଷ୍ଟ ହୋଇ ଏନଗେଲ ବଙ୍କା ହୋଇଥିବା ଦେଖିବାକୁ ମିଳିଛି।

ଉକ୍ତ ସମସ୍ୟାକୁ ନେଇ ସ୍ୱାଭିମାନ ଅଂଚଳ ବାସୀଙ୍କ ଜୀବନ ରେଖା ଉପରେ ବାଧା ଉପୁଜିଥିବାର ଦେଖିବାକୁ ମିଳିଥିବା ବେଳେ, ମାଲକାନଗିରି ପୂର୍ତ୍ତ ବିଭାଗ ତରଫରୁ ବର୍ତ୍ତମାନ ମରାମତି କାର୍ୟ୍ୟ ଆରମ୍ଭ ହୋଇଯାଇଛି। ତେବେ ଏହି ମରାମତି କାମ ଦୁଇ ଦିନ ଭିତରେ ସରିବ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି। ଏହି ଫାଟ ସୃଷ୍ଟି ବର୍ତ୍ତମାନ ସ୍ୱାଭିମାନ ଅଞ୍ଚଳବାସୀଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି। ପୂର୍ତ୍ତ ବିଭାଗ ଉକ୍ତ ଜଏଣ୍ଟ ନଷ୍ଟ ହୋଇ ଆଙ୍ଗଲ ବଙ୍କା ହୋଇ ଯାଇଥିବା ବେଳେ ରାସ୍ତାକୁ ଆବଧ କରି କାମ କରାଯାଉଥିବା ଦେଖାଦେଇଛି। ଏହି ମରାମତିକୁ ସାମାନ୍ୟ ଟିକେ ମରାମତି ବୋଲି କହିଛି ପୂର୍ତ୍ତ ବିଭାଗ । ବର୍ତ୍ତମାନ ଏହି ଗୁରୁପ୍ରିୟା ସେତୁର ଆୟୁଷ କୁ ନେଇ ସାଧାରଣ ରେ ସବୁଠୁ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।