କାଲିଠୁ ଆଜାଦଙ୍କ ‘ମିଶନ କଶ୍ମୀର’

ଜମ୍ମୁ-କଶ୍ମୀର: ପୂର୍ବତନ କେନ୍ଦ୍ରମନ୍ତ୍ରୀ ଗୁଲାମ ନବୀ ଆଜାଦ କାଲି ଜମ୍ମୁ-କଶ୍ମୀର ଗସ୍ତ କରିବେ । ଏଠାରେ ଆଜାଦ ସେପ୍ଟେମ୍ବର ୧୫ ପର୍ଯ୍ୟନ୍ତ ରାଲି କରିବା ସହ ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ ନିଜ ପାଇଁ ସମର୍ଥନ ଜୁଟାଇବେ ।
କିଶତବାଡ଼ର ଇନ୍ଦରବାଲ ବିଧାନସଭାରୁ ବିଧାୟକ ରହିଥିବା ଜୀଏମ ସରୁରୀ କହିଛନ୍ତି ଯେ, ଗୁଲାମ ନବୀ ଆଜାଦ ସେପ୍ଟେମ୍ବର ୭ ତାରିଖ ପର୍ଯ୍ୟନ୍ତ ଜମ୍ମୁରେ ରହିବେ । ଏହି ସମୟରେ ସେ ପାଖାପାଖି ୨୫୦ ପ୍ରତିନିଧିମଣ୍ଡଳଙ୍କୁ ଭେଟିବେ। ୪ ତାରିଖରେ ଭଦ୍ରବାହ ପହଞ୍ଚିବେ । ୯ ଓ ୧୦ ତାରିଖରେ କ୍ରମଶଃ କିଶତବାଡ଼ ଓ ଛାତ୍ରୁରେ ରାଲି କରିବେ ଏବଂ ୧୧ ତାରିଖରେ କିଶତବାଡ଼ରେ ଦୁର୍ଘଟଣାରେ ପ୍ରାଣ ହରାଇଥିବା ୮ଜଣଙ୍କ ପରିବାରକୁ ଭେଟିବେ । ପରେ କଶ୍ମୀର ଘାଟିର କୁକୁରନାଗ ଯିବେ । ୧୨ରୁ ୧୫ ତାରିଖ ପର୍ଯ୍ୟନ୍ତ ଶ୍ରୀନଗରରେ ରହିବେ । ସେଠାରେ ପ୍ରାୟ ୧୫୦ ପ୍ରତିନିଧିମଣ୍ଡଳକୁ ଭେଟିବେ । ୧୫ ତାରିଖ ପରେ ଦିଲ୍ଲୀରେ ବିଭିନ୍ନ ନେତାଙ୍କ ସହ ବୈଠକ କରିବେ ।