ଗୁକେଶ ଫର୍‌ମେଣ୍ଟେରା ଓପନ୍ ଚେସ୍ ଚାମ୍ପିଅନ୍

ପୁଣ୍ଟା ପ୍ରାଇମା (ସ୍ପେନ୍‌),ଏଜେନ୍ସି: ଭାରତୀୟ ଗ୍ରାଣ୍ଡମାଷ୍ଟର ଡି ଗୁକେଶ ଦମ୍‌ଦାର ପ୍ରଦର୍ଶନ ସହ ରବିବାର ପ୍ରଥମ ଚେସେବଲ୍ ସନ୍‌ୱେ ଫର୍‌ମେଣ୍ଟେରା ଓପନ୍ ୨୦୨୨ ଚେସ୍ ଟୁର୍ଣ୍ଣାମେଣ୍ଟ୍ ଚାମ୍ପିଅନ୍ ହେବାର ଗୌରବ ଅର୍ଜନ କରିଛନ୍ତି। ଗୁକେଶଙ୍କର ଏହା ଲଗାତାର ତୃତୀୟ ଟାଇଟଲ୍ ବିଜୟ। ନିକଟରେ ସେ ଲା ରୋଡା ଓ ମେନୋର୍କା ଓପନ୍ ଜିତିବା ପରେ ସ୍ପେନ୍‌ରେ ହ୍ୟାଟ୍ରିକ୍ ପୂରଣ କରିଛନ୍ତି। ଚେନ୍ନାଇର ୧୯ ବର୍ଷୀୟ ଗୁକେଶ ଆର୍ମେନିଆ ଜିଏମ୍ ହାଇକ୍ ଏମ୍ ମାର୍ଟିରୋସିଆନ୍‌ଙ୍କ ସହ ଅନ୍ତିମ ରାଉଣ୍ଡ୍ ଡ୍ର’ ରଖି ମୋଟ ଆଠ ପଏଣ୍ଟ ସହ ଟାଇଟଲ୍ ନିଜ ନାମରେ କରିଥିଲେ। ନବମ ରାଉଣ୍ଡ୍‌ରେ ସେ ଦ୍ୱିତୀୟ ସିଡ୍ କେ ଶଶୀକରଣଙ୍କୁ ହରାଇଥିଲେ। ନଅ ରାଉଣ୍ଡ୍ ପର୍ଯ୍ୟନ୍ତ ଅପରାଜେୟ ଥିବା ଗୁକେଶ ଏଠାରେ ୧୬ ଇଏଲ୍‌ଓ ପଏଣ୍ଟ ହାସଲ କରିଛନ୍ତି। ଏହା ସହିତ ସେ ଏବେ ବିଶ୍ୱ ର‌୍ୟାଙ୍କିଙ୍ଗ୍‌ରେ ନଂ. ୬୪କୁ ଉଠିଛନ୍ତି।

ଟୁର୍ଣ୍ଣାମେଣ୍ଟ୍‌ରେ ୬ଟି ବିଜୟ ଓ ୪ଟି ଡ୍ର’ ଖେଳିଥିବା ଗୁକେଶ ଚତୁର୍ଥ ରାଉଣ୍ଡ୍‌ରେ ଟପ୍ ସିଡ୍ ଜାମି ସାଣ୍ଟୋସ୍ ଲାତାସା ସପ୍ତମ ରାଉଣ୍ଡ୍‌ରେ ଆର୍ମେନିଆର ତୃତୀୟ ସିଡ୍ ସାଣ୍ଟ୍ ସାର୍ଗିସାନ୍‌ଙ୍କୁ ଡ୍ର’ରେ ରୋକିଥିଲେ। ଗୁକେଶ ତିନିବର୍ଷ ପୂର୍ବେ ୨୦୧୯ରେ ହିଁ ଗ୍ରାଣ୍ଡ୍‌ମାଷ୍ଟର୍ ହୋଇଥିଲେ। ସାତ ବର୍ଷରୁ ଚେସ୍ ଖେଳୁଥିବା ଗୁକେଶ ୨୦୧୮ରେ ଅଣ୍ଡର୍‌-୧୨ ବର୍ଗରେ ୱାର୍ଲ୍ଡ ୟୁଥ୍ ଚେସ୍ ଚାମ୍ପିଅନ୍‌ଶିପ୍ ଜିତିଥିଲେ। ଅନ୍ୟତମ ଭାରତୀୟ ଶଶୀକିରନ୍ (ଇଏଲ୍‌ଓ ୨୬୫୦) ୫.୫ ପଏଣ୍ଟ ସହ ନବମ ସ୍ଥାନରେ ରହିଥିଲେ। ପାଞ୍ଚଟି ରାଉଣ୍ଡ୍‌ରୁ ତିନିଟି ବିଜୟ ସହ ୪ ପଏଣ୍ଟ୍ ହାସଲ କରିଥିବା ଏହି ଅଭିଜ୍ଞ ଭାରତୀୟ ଜିଏମ୍ ଟୁର୍ଣ୍ଣାମେଣ୍ଟ୍‌ର ଦ୍ୱିତୀୟାର୍ଦ୍ଧରେ ସମ୍ପୂର୍ଣ୍ଣ ଭାବେ ବିଫଳ ହୋଇଥିଲେ ଏବଂ ପାଞ୍ଚ ରାଉଣ୍ଡ୍‌ର ମାତ୍ର ୧.୫ ପଏଣ୍ଟ୍ ହାସଲ କରିଥିଲେ।