ଅବହେଳିତ ଗୁଜାପାହାଡ଼: ଏଠାରେ ରହିଛି ଭୀମ ପାଦ କୁଣ୍ଡ ଓ ଗୁପ୍ତଗଙ୍ଗା ପୁସ୍କରିଣୀ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲାର ପୌରାଣିକ ଓ ଐତିହାସିକ ସ୍ମୃତିକୁ ସାଇତି ରଖିଥିବା ଏକ ପର୍ଯ୍ୟଟନସ୍ଥଳୀ ହେଉଛି ଗୁଜାପାହାଡ଼। ହୀରାକୁଦ ଜଳଭଣ୍ଡାର ନିକଟରେ ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ଏହି ପାହାଡ ପ୍ରାୟ ୯ବର୍ଗ କିଲୋମିଟର ଓ ୬୦୦ ଫୁଟ ଉଚ୍ଚତା ସମ୍ପନ୍ନ। ଏହି ପାହାଡକୁ ସରକାର ପର୍ଯ୍ୟଟନସ୍ଥଳୀର ମାନ୍ୟତା ମଧ୍ୟ ଦେଇସାରିଛନ୍ତି। ବିଡ଼ମ୍ବନାର ବିଷୟ ଏହିକି ଯେ, ମାନ୍ୟତା କେବଳ କାଗଜ ପତ୍ରରେ ସିମିତ ହୋଇ ରହିଯାଇଛି। ରାଜ୍ୟର ଅନ୍ୟ ପର୍ଯଟନସ୍ଥଳୀ ପରି ବିକାଶକାର୍ଯ୍ୟ ଏଠାରେ କରାଯାଉ ନାହିଁ। ଏଠାରେ ବିକାଶମୁଖୀ କାର୍ଯ୍ୟ ତ ଦୂରର କଥା ଏହି ମନୋରମ ପର୍ଯ୍ୟଟନସ୍ଥଳୀକୁ ଯିବାକୁ ରାସ୍ତାର ଅବସ୍ଥା ଅତି ଶୋଚନୀୟ ରହିଛି। ଏଯାବତ୍ ଏଠାରେ ପାନୀୟଜଳର ସେଭଳି କୌଣସି ସୁବିଧା ମଧ୍ୟ କରାଯାଇ ନାହିଁ ବୋଲି ଅଞ୍ଚଳବାସୀ ଦୁଃଖ ପ୍ରକାଶ କରିଛନ୍ତି।
ଏହି ପାହାଡ ଶିଖରରେ ପୂଜା ପାଆନ୍ତି ମହାବୀର ହୁନୁମାନ। ପାହାଡ଼ର ଏକ ବିଶାଳକାୟ ପଥର ସାଇତି ରଖିଛି ଦ୍ୱାପରଯୁଗର ଭୀମପାଦ। ପଥର ଦେହରେ ଥିବା ପ୍ରାୟ ୨ ଫୁଟ ଗଭୀରର ଏହି ପାଦଚିହ୍ନରେ ଥିବା ସ୍ୱଚ୍ଛ ନିର୍ମଳ ପାଣି ବର୍ଷର କୌଣସି ସମୟରେ ଶୁଖି ନଥାଏ। ପାଖରେ ଥିବା ଗଛର ପତ୍ରରେ ଲୋକେ ଏହି କୁଣ୍ଡରୁ ପାଣି ଆଣି ପିଇଥାନ୍ତି। ପ୍ରତିଥର ନୂଆ ନୂଆଁ ପତ୍ରରେ ପାଣି ଆଣିବାକୁ ପଡ଼ିଥାଏ। ଯଦି କେହି ବାରମ୍ବାର ଅଇଁଠା ପତ୍ରରେ ଏଠାରୁ ପାଣି ବାହାର କରେ ତେବେ ଏହି କୁଣ୍ଡରେ ଥିବା ପାଣି କିଛିଦିନ ମଧ୍ୟରେ ଶୁଖିଯାଏ। ପରବର୍ତ୍ତୀ ସମୟରେ ଭୀମପାଦକୁ ସୁଦ୍ଧିକରଣ କଲେ ପୁଣି ଧିରେ ଧିରେ ଏଠାରେ ପାଣି ଭର୍ତ୍ତି ହୋଇଥାଏ ବୋଲି ଅଞ୍ଚଳବାସୀ କହିଛନ୍ତି। ସେହିପରି ପାହାଡ଼ ପାଦ ଦେଶରେ ରହିଛି ଏକ ଛୋଟିଆ ପୁଷ୍କରିଣୀ। ସ୍ଥାନୀୟଲୋକଙ୍କ ଅନୁସାରେ ଏହି ପୁସ୍କରିଣୀରେ ଗୁପ୍ତ ଗଙ୍ଗା ରହିଥିବା କାରଣରୁ ଛୋଟିଆ ପୁଷ୍କରିଣୀ ହେଲେ ମଧ୍ୟ ମରୁଡି ପଡିଲେ ହେଁ ଏଥିରେ ପାଣି ଶୁଖିନଥାଏ। ଏହି ଭୀମପାଦ ଓ ଗୁପ୍ତଗଙ୍ଗା ପୁସ୍କରିଣୀ ବ୍ୟତୀତ ଗୁଜା ପାହାଡରେ଼ ୧୬ଟି ଛୋଟବଡ଼ ମନଲୋଭା ଗୁମ୍ଫା ରହିଛି।