ପାଣାଜୀ,ଏଜେନ୍ସି: କରୋନା ଭୂତାଣୁ ସମୟରେ ଗୋଆରେ ଜନ୍ମାଷ୍ଟମୀ ଓ ଗଣେଶ ପୂଜା ପାଇଁ ଗାଇଡଲାଇନ ଜାରି କରାଯାଇଛି। ଗୋଆ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷର ଗାଇଡଲାଇନ ଅନୁସାରେ ବଜାରରେ ସାମାଜିକ ଦୂରତା ରକ୍ଷା କରିବା ପାଇଁ ପୁଲିସ କାର୍ଯ୍ୟାଳୟ ତରଫରୁ ନିର୍ଦ୍ଦେଶ ଦିଆଯାଇଛି। ଜିଲ୍ଲାଗୁଡ଼ିକରେ ଉତ୍ସବ ସମୟରେ ସାମାଜିକ ଦୂରତା ରକ୍ଷା କରିବା, ମାସ୍କ ପିନ୍ଧିବା, ହାତ ଧୋଇବା ଓ ସାନିଟାଇଜର ବ୍ୟବହାର କରିବାକୁ କୁହାଯାଇଛି। ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ଦ୍ୱାରା ବଜାରରେ ସ୍ଥିତି ଯାଞ୍ଚ କରାଯିବ। କୋଭିଡ-୧୯ ଗାଇଡଲାଇନ ପାଳନ ହେଉଛି କି ନାହିଁ, ତାହା ସ୍ପଷ୍ଟ କରାଯିବ।
ଗଣେଶ ପୂଜା ସମୟରେ ଗୋଆ ସୀମା ଅତିକ୍ରମ କରୁଥିବା ଲୋକଙ୍କୁ ୨୪ ଘଣ୍ଟା ଭିତରେ ହିଁ ଫେରିବାକୁ ପଡ଼ିବ। ଏଥିରୁ ଅଧିକ ସମୟ ଅତିବାହିତ ହେଲେ କ୍ୱାରେଣ୍ଟାଇନରେ ରହିବାକୁ ହେବ। ଦେଶର ବିଭିନ୍ନ ରାଜ୍ୟରେ ରହୁଥିବା ଗୋଆ ମୂଳ ନିବାସୀ ନିଜ ରାଜ୍ୟକୁ ଫେରିପାରିବେ। କିନ୍ତୁ ଏଥିପାଇଁ ଭାରତୀୟ ମେଡିକାଲ ଗବେଷଣା ପରିଷଦର ଗାଇଡଲାଇନ ପାଳନ କରିବାକୁ ହେବ ବୋଲି ଦର୍ଶାଯାଇଛି।