ବ୍ୟାଙ୍କ ଓ ଆର୍ଥିକ ସଂସ୍ଥା ପାଇଁ ଜାରି ହେଲା ଗାଇଡଲାଇନ

ଭୁବନେଶ୍ୱର,ଏନ୍ଏନ୍ଏସ୍: ବ୍ୟାଙ୍କ ଓ ଆର୍ଥିକ ସଂସ୍ଥା ଲାଗି ରାଜ୍ୟ ସରକାର ଅଗଷ୍ଟ ମାସର ନୂଆ ଗାଇଡଲାଇନ ଜାରି କରିଛନ୍ତି। ଅର୍ଥ ବିଭାଗ ପକ୍ଷରୁ ଏନେଇ ସମସ୍ତ ଜିଲ୍ଲାପାଳ, ଏସପି ଓ ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି ନିମନ୍ତେ ଜାରି ହୋଇଥିବା ମାର୍ଗଦର୍ଶିକାରେ କୁହାଯାଇଛି ଯେ, ସମସ୍ତ ରାଷ୍ଟ୍ରାୟତ, ଘରୋଇ, ଗ୍ରାମ୍ୟବ୍ୟାଙ୍କ, ସମବାୟ ବ୍ୟାଙ୍କ, ଛୋଟ ଅର୍ଥଲଗାଣକାରୀ ବ୍ୟାଙ୍କ ଏବଂ ବୀମା କମ୍ପାନୀ ସେମାନଙ୍କ ବଡ ବଡ ଶାଖାରେ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ଲୋକଙ୍କୁ ସେବାଯୋଗାଇ ଦେବେ। ତେବେ ଯେଉଁ ଶାଖାରେ ୫ଜଣରୁ କମ କର୍ମଚାରୀ ଅଛନ୍ତି ସେଠାରେ ପୂରା କର୍ମଚାରୀଙ୍କୁ ନେଇ ବ୍ୟାଙ୍କ କାର୍ଯ୍ୟ କରିବ ଓ ସାମାଜିକ ଦୂରତା ସହିତ ମାସ୍କ ପିନ୍ଧିବା ଓ ହାତ ବିଶୋଧନ କରିବା ନିୟମ କଡାକଡି ଭାବେ ପାଳନ କରାଯିବ।
କ୍ଲିୟରିଂ ହାଉସ୍‍, ବ୍ୟାଙ୍କ ଗୁଡିକର କଣ୍ଟ୍ରୋଲିଂ ଅଫିସ, ସେବି, ବୀମା ଦପ୍ତରକୁ ନିୟନ୍ତ୍ରଣ କରୁଥିବା କାର୍ଯ୍ୟାଳୟ ଏବଂ ଭାରତୀୟ ରିଜର୍ଭ ବ୍ୟାଙ୍କକୁ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ କାମ କରିବାକୁ କୁହାଯାଇଛି। ସେହିଭଳି ସେବି ଦ୍ୱାରା ଅନୁମତି ପାଇ ପୁଞ୍ଜି ଓ ଋଣ ସୁବିଧା ଯୋଗାଇ ଦେଉଥିବା ସଂସ୍ଥା ଗୁଡିକ ମଧ୍ୟ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ କାର୍ଯ୍ୟ କରିପାରିବେ।
ଏଟିଏମ ରକ୍ଷଣାବେକ୍ଷଣ କରୁଥିବା କମ୍ପାନୀ, ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ନଗଦ ଅର୍ଥ ପରିବହନ କରୁଥିବା କମ୍ପାନୀ ଓ ନେସନାଲ ପେମେଣ୍ଟ କର୍ପୋରେସନ ଅଫ୍‍ ଇଣ୍ଡିଆ (ଏନପିସିଆଇ)ର କର୍ମଚାରୀଙ୍କୁ ଦପ୍ତର ସମୟରେ କାର୍ଯ୍ୟ କରିବାକୁ ଅନୁମତି ମିଳିଛି। ବ୍ୟାଙ୍କ ଚିଠିପତ୍ର (ବିସି) ଏବଂ ସେବା ଯୋଗାଉଥିବା ସଂସ୍ଥା (ସିଏସପି) ଗୁଡିକ ମଧ୍ୟ କରୋନା ନିୟମ ମାନି କାର୍ଯ୍ୟ କରିବାଲାଗି ରାଜ୍ୟ ସରକାର ଅନୁମତି ଦେଇଛନ୍ତି। ବୀମା କମ୍ପାନୀ ଶାଖା ଗୁଡିକ ଅଫିସ ସମୟରେ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ କାର୍ଯ୍ୟ କରିବାକୁ ସରକାର ଅନୁମତି ପ୍ରଦାନ କରିଛନ୍ତି। ଅଣ ବ୍ୟାଙ୍କିଙ୍ଗ ଅର୍ଥ କମ୍ପାନୀ କିମ୍ବା ଆରବିଆଇ ଦ୍ୱାରା ନିୟନ୍ତ୍ରିତ ମନି ଫ୍ଲୋ ଇଣ୍ଡେକ୍ସ (ଏମଏଫଆଇ) ଚଳାଉଥିବା ସଂସ୍ଥା ଗୁଡିକ ଦପ୍ତର ସମୟରେ ୫୦ ପ୍ରତିଶତ କର୍ମଚାରୀ ସହିତ ଶାରୀରିକ ଦୂରତା ରକ୍ଷା, ମାସ୍କ ପିନ୍ଧିବା ଓ ହାତ ବିଶୋଧନ କରିବା ନିୟମକୁ ମାନି କାର୍ଯ୍ୟ କରିବାକୁ ରାଜ୍ୟ ସରକାର ଅନୁମତି ଦେଇଛନ୍ତି।