ବାଗପତ୍ : ଉତ୍ତର ପ୍ରଦେଶର ବାଗପତରେ ଏକ ଅଦ୍ଭୁତ ଘଟଣା ଦେଖିବାକୁ ମିଳିଛି। ଥଣ୍ଡା ଖାଦ୍ୟ ଏବଂ ଏକ ଉଡ଼ା ଖବରକୁ ନେଇ ଏପରି ପରିସ୍ଥିତ ସୃଷ୍ଟି ହେଲା ଯେ, ବିବାହରେ ଯୋଗ ଦେଇଥିବା ବରଯାତ୍ରୀଙ୍କୁ କନ୍ୟାପକ୍ଷ ଲୋକେ ଗୋଡ଼ାଇ ଗୋଡ଼ାଇ ପିଟିଲେ।
ସୂଚନା ଅନୁସାରେ, ଛପରୌଲୀ ଥାନା ଅନ୍ତର୍ଗତ ଟାଣ୍ଡା ଗାଁରେ ଏକ ବିବାହ ଉତ୍ସବ ଚାଲିଥିଲା। ସେଠାରେ କନ୍ୟାର ମାମୁଁ ବରଯାତ୍ରୀଙ୍କୁ ଖାଦ୍ୟ ପରଶୁଥିଲେ। ଏହି ସମୟରେ କେହି ଜଣେ ମିଛ ଖବର ପ୍ରଚାର କରିଥିଲେ ଯେ, ଥଣ୍ଡା ଖାଦ୍ୟ ପରଶା ହୋଇଛି। ଏହାପରେ କିଛି ଲୋକ ଖାଦ୍ୟ ଖାଇବାକୁ ମନା କରି ଦେଇଥିଲେ।
ଏପଟେ ଥଣ୍ଡା ଖାଦ୍ୟ ଚର୍ଚ୍ଚା ସରି ନ ଥିବା ବେଳେ ପୁଣି ମିଛରେ କେହି ପ୍ରଚାର କରିଥିଲା କି ନାଚ ସମୟରେ ମାଡ଼ଗୋଳ ହୋଇଛି। ଏହାପରେ ବିବାଦ ଏତେ ବଢିଥିଲା ଯେ, ଉଭୟ ପକ୍ଷ ହାତାହାତି ହୋଇ ଯାଇଥିଲେ। କନ୍ୟାପକ୍ଷ ଲୋକେ ବାଡ଼ି-ଠେଙ୍ଗା ଧରି ବରଯାତ୍ରୀଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଥିଲେ। ଏହି ମାଡ଼ଗୋଳରେ ଦୁଇ ପକ୍ଷରୁ ୨ ଜଣ ମହିଳାଙ୍କ ସମେତ ପ୍ରାୟ ୬ ଜଣ ଲୋକେ ଆହତ ହୋଇଛନ୍ତି। ଦୁଇ ପକ୍ଷ ଥାନାରେ ପରସ୍ପର ବିରୁଦ୍ଧରେ ଅଭିଯୋଗ କରିଛନ୍ତି। ଏହାପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।