ଚାଷୀଙ୍କ ନାଁରେ ୧ କୋଟି ଟଙ୍କାର ଜିଏସଟି ଠକେଇ ଅଭିଯୋଗ

ସଇଁନ୍ତଳା,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲାର ଜଣେ ଚାଷୀ ୧ କୋଟି ଟଙ୍କାର ଜିଏସଟି ଠକେଇ କରିଥିବା ନେଇ ଅଭିଯୋଗ ସାମ୍ନାକୁ ଆସିଛି। ଏନେଇ ଚାଷୀ ଜଣଙ୍କ ଥାନାରେ ଅଭିଯୋଗ କରିଛନ୍ତି। ସୂଚନା ଅନୁସାରେ ବଲାଙ୍ଗିର ଜିଲ୍ଲା ସଇଁନ୍ତଳା ବ୍ଲକ୍ ଘଣ୍ଟମାଲ ଗ୍ରାମର ଚାଷୀ ରୋହିତ ଭୋଇଙ୍କ ପୁଅ ରବିନ୍ଦ୍ର ଭୋଇଙ୍କ ନାମରେ ଜାଲ କମ୍ପାନୀ ଖୋଲାଯାଇ ୧କୋଟି ଟଙ୍କାରୁ ଅଧିକ ଟଙ୍କାର ଠକେଇ ହୋଇଛି। ଜିଏସଟି ବିଭାଗ ଏନେଇ ସୂଚନା ପାଇବା ପରେ ରବୀନ୍ଦ୍ରଙ୍କୁ ଭେଟି ଜେରା କରିଛି। ଅଧିକାରୀମାନଙ୍କ ଠାରୁ ସମସ୍ତ ବିଷୟ ଶୁଣି ରବୀନ୍ଦ୍ର ପ୍ରଥମେ ଆଚମ୍ବିତ ହେବା ସହ ସେ କୌଣସି କମ୍ପାନୀ ଖୋଲିନାହାନ୍ତି କିମ୍ବା ଜିଏସଟି କାରବାର କରିନାହାନ୍ତି ବୋଲି କହିଥିଲେ। ରବୀନ୍ଦ୍ରଙ୍କ ପରିବାର ସ୍ଥିତି ଦେଖି ଅଧିକାରୀମାନେ ସେଠାରୁ ଫେରି ଆସିଥିବା ଜଣାଯାଇଛି।

ଅପରପକ୍ଷେ, ନିଜ ଅଜାଣତରେ କୋଟି କୋଟି ଟଙ୍କାର ଆର୍ଥିକ ନେଣଦେଣ ହୋଇଥିବା ଜାଣିବା ପରେ ରବୀନ୍ଦ୍ର ସଇଁନ୍ତଳା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ରବୀନ୍ଦ୍ର ଘଣ୍ଟମାଲ ଗ୍ରାମରେ ନିଜ ବାପାଙ୍କ ସହିତ ରୁହନ୍ତି ଏବଂ ତାଙ୍କୁ ଚାଷ କାର୍ଯ୍ୟରେ ସହାୟତା କରିଛନ୍ତି। ତାଙ୍କର ପ୍ରାୟ ସାଢ଼େ ୩ ଏକର ଜମି ରହିଛି। ଗତକାଲି ଅପରାହ୍ଣରେ ୩ ଜଣ ବ୍ୟକ୍ତି ବଲାଙ୍ଗିରର ଜିଏସଟି ବିଭାଗରୁ ଆସିଛୁ କହି ତାଙ୍କ ଘରେ ପହଞ୍ଚିଥିଲେ। ପରେ ରବୀନ୍ଦ୍ରଙ୍କୁ କିଛି କାଗଜପତ୍ର ଦେଖାଇ ୩ ମାସ ଭିତରେ ତୁମର କମ୍ପାନୀ ‘ସିନ୍ଧୁଜା ଷ୍ଟିଲ’ ନାଁରେ ପ୍ରାୟ ୧ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ଜିଏସଟି କାରବାର କରିଛ ବୋଲି ପଚରାଉଚୁରା କରିଥିଲେ। କମ୍ପାନୀ ଏବଂ କୋଟି କୋଟି ଟଙ୍କାର ଦେଣନେଣ ସମ୍ପର୍କରେ ଶୁଣିବା ପରେ ରବୀନ୍ଦ୍ର ଏହାକୁ ବାରଣ କରିଥିଲେ।

ସେ ଜଣେ ଚାଷୀ ପୁଅ ତାଙ୍କର କୌଣସି କମ୍ପାନୀ ନାହିଁ କିମ୍ବା ସେ ଜିଏସଟି ଠକେଇ ସମ୍ପର୍କରେ କିଛି ବି ଜାଣି ନାହାନ୍ତି ବୋଲି କହିଥିଲେ। ଏହାପରେ ବିଭାଗୀୟ ଅଧିକାରୀମାନେ ରବୀନ୍ଦ୍ରଙ୍କୁ ତାଙ୍କ ଜମି ପ୍ରମାଣ ପତ୍ର, ଜମି ଖତିୟାନ ଭଳି ଅନେକ ପ୍ରମାଣ ପତ୍ର ଲାଗିଥିବାର ନକଲ ଦେଖାଇବା ପରେ ତାଙ୍କ ସହ ଠକେଇ ହୋଇଥିବା କହିଥିଲେ। ଗତ ମଇ ମାସରେ ତାଙ୍କ ଗାଁର ମହେନ୍ଦ୍ର ସାହୁ ନାମକ ଜଣେ ବ୍ୟକ୍ତି ତାଙ୍କୁ ଚାଷ ପାଇଁ ଋଣ କରେଇ ଦେବାକୁ କହି ତାଙ୍କର ସମସ୍ତ ପ୍ରମାଣ ପତ୍ର ମାଗିନେଇଥିଲେ ବୋଲି ସେ କହିଥିଲେ। ଶେଷରେ କୌଣସି ଉପାୟ ନପାଇ ରବୀନ୍ଦ୍ର ଲିଖିତ ଅଭିଯୋଗ କରିଛନ୍ତି। ଉକ୍ତ କମ୍ପାନୀର ନାଁରେ ଜିଏସଟି ଆକାଉଣ୍ଟ ଖୋଲିବାକୁ ମୋ- ୭୬୮୨୦୫୨୦୯୨ର ବ୍ୟବହାର କରାଯାଇଛି। ତେବେ ପୁଲିସ ଏହାର ତଦନ୍ତ କରାଯିବ ବୋଲି କହିଛନ୍ତି।