ହୋଟେଲ, ଜୁଏଲାରୀ କ୍ଷେତ୍ରରେ ଜିଏସଟି କମିଲା

ପାନାଜି: ଅର୍ଥନୈତିକ ଅଭିବୃଦ୍ଧି ପ୍ରକ୍ରିୟାକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ କେନ୍ଦ୍ର ଅର୍ଥ ଓ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ନିର୍ମଳା ସୀତାରମଣ ଶୁକ୍ରବାର ଅନୁଷ୍ଠିତ ୩୭ତମ ଜିଏସଟି ପରିଷଦ ବୈଠକରେ କେତେକ କ୍ଷେତ୍ରରେ ପ୍ରଚଳିତ ଜିଏସଟି ବ୍ୟବସ୍ଥାରେ ପରିବର୍ତ୍ତନ କରିଛନ୍ତି।

ଓଭେନ୍ ଏବଂ ନନ୍-ଓଭେନ୍ ପଲିଥିନ ବ୍ୟାଗ୍ ଉପରେ ଏଣିକି ୧୨ ପ୍ରତିଶତ ହାରରେ ଜିଏସଟି ଲାଗୁ କରିବାକୁ ନିଷ୍ପତ୍ତି ନିଆଯାଇଥିବା ବେଳେ ରତ୍ନ ପଥର ଏବଂ ସ୍ୱର୍ଣ୍ଣ ଅଳଙ୍କାର ବ୍ୟବସାୟ କ୍ଷେତ୍ରକୁ ପ୍ରୋତ୍ସାହନ ଦେବା ପାଇଁ ମଧ୍ୟମ ବର୍ଗର ରତ୍ନ ପଥର କ୍ଷେଥ୍ରରେ ଜିଏସଟି ହାରରେ ୦.୨୫ ପ୍ରତିଶତ ହ୍ରାସ କରିବାକୁ ନିଷ୍ପତ୍ତି ନିଆଯାଇଛି।

ସେହିପରି ହୋଟେଲ କ୍ଷେତ୍ରକୁ ପ୍ରୋତ୍ସାହନ ଦେବା ପାଇଁ ଦୈନିକ ଭଡ଼ା ୧୦୦୦ ଟଙ୍କାରୁ ୭୫୦୦ ଟଙ୍କା ପର୍ଯ୍ୟନ୍ତ ହୋଟେଲମାନଙ୍କ ପାଇଁ ଜିଏସଟି ହାର ୧୨ ପ୍ରତିଶତ ଏବଂ ୭୫୦୦ ଟଙ୍କାରୁ ଅଧିକ ଭଡ଼ା ନେଉଥିବା ହୋଟେଲମାନଙ୍କ ପାଇଁ ଜିଏସଟି ହାର ୧୮ ପ୍ରତିଶତ ରହିବ ବୋଲି ନିଷ୍ପତ୍ତି ନିଆଯାଇଛି। ଆଉଟ୍ ଡୋର କ୍ୟାଟରିଂ କ୍ଷେତ୍ରରେ ପ୍ରଚଳିତ ଜିିଏସଟିରେ ହ୍ରାସ କରାଯାଇ ଏହାକୁ ୧୮ ପ୍ରତିଶତରୁ ୫ ପ୍ରତିଶତ ରଖାଯାଇଛି।

ତେବେ କାଫିନ୍ ରହିତ ପାନୀୟରେ ଜିଏସଟି ୧୮ ପ୍ରତିଶତରୁ ୨୮ ପ୍ରତିଶତକୁ ବୃଦ୍ଧି କରାଯାଇଥିବାବେଳେ ଏଥିରେ ୧୨ ପ୍ରତିଶତ ଅତିରିକ୍ତ ସେସ୍ ଲାଗୁ କରାଯିବ ବୋଲି ଜଣାପଡ଼ିଛି। ସେହିପରି ୧୫୦୦ ସିସି ଡିଜେଲ ଏବଂ ୧୨୦୦ ସିସି ବିଶିଷ୍ଟ ପେଟ୍ରୋଲ ଚାଳିତ ଗାଡ଼ି ଉପରେ ସେସ୍ ହ୍ରାସ କରିବାକୁ ନିଷ୍ପତ୍ତି ନିଆଯାଇଛି।