କୋଟି କୋଟି ଟଙ୍କାର ଜିଏସଟି ଠକେଇ ଅଭିଯୋଗ: ୨ ଗିରଫ

ରାଉରକେଲା,ଏନ୍ଏନ୍ଏସ୍: ବିଗତ କିଛି ବର୍ଷ ଧରି ରାଉରକେଲା ସହରର ଏକ ମଦ ଦୋକାନରେ ସେଲ୍ସମ୍ୟାନ ଭାବେ କାମ କରୁଥିବା ଜଣେ ଯୁବକ ଆଜି କୋଟି କୋଟି ଟଙ୍କାର ଜିଏସଟି ଠକେଇ ଅଭିଯୋଗରେ ଗିରଫ ହେବା ଘଟଣା ସହରରେ ଚର୍ଚ୍ଚାର ବିଷୟ ହୋଇଛି । ଏହି ଯୁବକର ନାମ ସୁବାଷ ସ୍ୱାଇଁ । ଗତକାଲି ଜିଏସଟିର ଏକ ସ୍ୱତନ୍ତ୍ର ଟିମ ବାସନ୍ତୀ କଲୋନୀ ଅଂଚଳରେ ଚଢଉ କରି ସୁବାଷକୁ ଗିରଫ କରିବା ସହ ତାର ଗୁରୁ କୁହାଯାଉଥିବା ଅମୀତ ବେରୀୱାଲକୁ ମଧ୍ୟ ସିଭିଲ ଟାଉନ ଅଂଚଳରୁ ଗିରଫ କରାଯାଇଛି ।

ଗତକାଲି ସଂଧ୍ୟାରେ ଏମାନଙ୍କୁ ଗିରଫ କରାଜିବା ପରେ ଜିଏସଟି ବିଭାଗ ଏମାନଙ୍କୁ ଉଦିତନଗର ଥାନାରେ ଜିମା ଦେଇଥିଲେ। ପରେ ଆଜି କଟକରୁ ଆସିଥିବା ସ୍ୱତନ୍ତ୍ର ଟିମ୍ ଏମାନଙ୍କୁ ଧରି କୌଣସି ଯାଗାରେ ପଚରା ଉଚରା ଲାଗି ନେଇଥିବା ଜଣାପଡିଛି ।

ଏଠାରେ ଉଲ୍ଲେଖଯୋଗ୍ୟ, ସୁବାଷକୁ ୭ମାସ ତଳେ ଜିଏସଟି ବିଭାଗ ଧରି ପଚରା ଉଚରା କରିଥିବା ବେଳେ ଅମିତକୁ ୨ମାସ ତଳେ ଧରିବା ଲାଗି ପ୍ରଚେଷ୍ଟା କରି ଜିଏସଟି ବିଭାଗ ଫେଲ୍ ମାରିଥିଲା । ଖବରରୁ ଜଣାପଡିଛି ଯେ, ଗିରଫ ଅଭିଯୁକ୍ତ ସୁବାଷ ଅଳ୍ପ ଦିନ ତଳେ ଏକ ମଦ ଦୋକାନରେ କାମ କରିବା ପରେ ଏକ ବ୍ୟାଙ୍କ ସହ ସଂପର୍କ ଥିବା ଜଣେ ବାବୁଙ୍କ ଅଫିସରେ କାମ କରୁଥିଲେ ।

୨୦୧୭ /୧୮ରୁ ଏହି କାମରେ ସେ ପଶିବା ଫଳରେ ସେହି ବ୍ୟାଙ୍କରେ ତାଙ୍କର ସଂପର୍କ ବେଶ୍ ବଢିଥିଲା । ସେହି ବ୍ୟାଙ୍କରେ ମଧ୍ୟ ଏଭଳି ଆକାଉଂଟ ମାନ ଖୋଲି ସେ ବେଶ୍ କାରବାର ବଢାଇବା ସହ ଜିଏସଟି ଠକିବାରେ ସଫଳ ହୋଇଥିବା କୁହାଯାଉଛି ।