ନଭେମ୍ବର ୨୦ରୁ ରାୟଗଡ଼ା ଜିଲ୍ଲାରେ ଆରମ୍ଭ ହେବ ଅପରେସନ ଗ୍ରୀନ୍‌ ଡାଇମଣ୍ଡ

ରାୟଗଡ଼ା,ଏନ୍ଏନ୍ଏସ୍: ଗଞ୍ଜେଇ ମାଫିଆଙ୍କ  କବଳରୁ ରାୟଗଡ଼ା ଅଞ୍ଚଳକୁ ମୁକ୍ତ କରିବା ପାଇଁ ପୁଲିସ ପକ୍ଷରୁ ନଭେମ୍ବର ୨୦ତାରିଖରୁ ଅପରେସନ ଗ୍ରୀନ୍‌ ଡାଇମଣ୍ଡ ବା ଗଞ୍ଜେଇ ଗଛ କଟା ଅଭିଯାନ ଆରମ୍ଭ ହେବ। ଏ ନେଇ ରାୟଗଡ଼ା ଏସପି ଶ୍ରବଣ ବିବେକ ଏମ୍ ସୂଚନା ଦେଇଛନ୍ତି। ଏ ନେଇ ପୁଲିସ ଅବକାରୀ ବିଭାଗ, ରାଜସ୍ୱ ଏବଂ ବନ ବିଭାଗର ମିଳିତ ବୈଠକରେ ଯୋଜନା ଚୂଡ଼ାନ୍ତ ଅନୁଷ୍ଠିତ ହୋଇଥିବା ଏସପି ସୂଚନା ଦେଇଛନ୍ତି।

 

ତେବେ ଏହି ଅଞ୍ଚଳ ମାଓ ପ୍ରବଣ ହୋଇଥିବାରୁ କଡ଼ା ସୁରକ୍ଷା ଏବଂ ସତର୍କତା ମଧ୍ୟରେ ଗଞ୍ଜେଇ ଗଛ କଟା ଅଭିଯାନ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଛି। ମାଓବାଦୀଙ୍କ ଗଡ଼ କୁହାଯାଉଥିବା ଚନ୍ଦ୍ରପୁର, ପୁଟାସିଂ, ପଦ୍ମପୁର, ଗୁଡ଼ାରୀ ଓ କେନ୍ଦୁଗୁଡ଼ା ଅଞ୍ଚଳର ୫୦ ଶହ ଏକରରେ ଗଞ୍ଜେଇ ଚାଷ ହୋଇଛି ।। ସ୍ଥାନୀୟ ଆଦିବାସୀଙ୍କୁ ହାତକରି ଗଞ୍ଜେଇ ମାଫିଆଙ୍କ ସମେତ ମାଓଛାମୁଆ ସଂଗଠନ ତତ୍ତ୍ୱାବଧାନରେ ଏହି ଚାଷ ଚାଲିଥିବା ଜଣାପଡ଼ିଛି।

ପ୍ରତିବର୍ଷ ରାଜ୍ୟ ତଥା ରାଜ୍ୟ ବାହାରକୁଚୋରାରେ ଗଞ୍ଜେଇ ଚାଲାଣ କରି କୋଟି କୋଟି ଟଙ୍କା କମାଉଛନ୍ତି ମାଫିଆ ଏବଂ ମାଓବାଦୀମାନେ। ତେବେ ମାଓବାଦୀଙ୍କ ଏହି ବ୍ୟବସାୟକୁ ବନ୍ଦ କରିବା ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏ ନେଇ ମୁଖ୍ୟ ଶାସନ ସଚିବ, ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଜିଲ୍ଲାପାଳ ଓ ଏସପିଙ୍କୁ ଚିଠି କରିବା ପରେ ରାୟଗଡ଼ା ଜିଲ୍ଲାପାଳ ପ୍ରମୋଦ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସି ଅପରେସନ ଗ୍ରୀନ୍‌ ଡାଇମଣ୍ଡ ଚଳାଇବା ପାଇଁ ନିଷ୍ପତ୍ତି ହୋଇଛି।

ଅପରପକ୍ଷରେ ୨୦୧୮– ୯ ଆର୍ଥିକ ବର୍ଷରେ ମିଳିତ ଅପରେସନରେ ୩୭୦ ଏକର ଜମିର ଗଞ୍ଜେଇ ଚାଷକୁ ନଷ୍ଟ କରାଯାଇଥିବା ବେଳେ ଏହାର ଆନୁମାନିକ ମୁଲ୍ୟ ୮୧କୋଟି ୪୦ଲକ୍ଷ ବୋଲି ଆକଳନ କରାଯାଇଛି। ଏହିପରି ୨୦୧୭– ୮ ଆର୍ଥିକ ବର୍ଷରେ ଜିଲ୍ଲାରେ ୨୭୨ଏକର ଜମିରୁ ଗଞ୍ଜେଇ ଗଛ ନଷ୍ଟ କରାଯାଇଥିଲା ଯାହାର ଆନୁମାନିକ ମୁଲ୍ୟ ୪୦କୋଟି ୮୦ଲକ୍ଷ ହେବ।