ଗ୍ରେଟବ୍ରିଟେନ୍ ବିପକ୍ଷ ହକି ସିରିଜ୍, ଶେଷ ମିନିଟ୍ ଗୋଲରେ ଜିତିଲା ଭାରତ

ମାର୍ଲୋ(ଇଂଲଣ୍ଡ),୨୮ା୯/ଏଜେନ୍ସି: ସମ୍ପ୍ରତି ଗ୍ରେଟବ୍ରିଟେନ୍ ଗସ୍ତରେ ଥିବା ଭାରତୀୟ ମହିଳା ହକି ଦଳ ବିଜୟରୁ ତା’ର ଅଭିଯାନ ଆରମ୍ଭ କରିଛି। ଦଳ ଶନିବାର ପ୍ରଥମ ମୁକାବିଲାରେ ଗ୍ରେଟବ୍ରିଟେନ୍କୁ ୨-୧ ଗୋଲରେ ପରାସ୍ତ କରିଛି। ମ୍ୟାଚର ଶେଷ ମିନିଟ୍ ପର୍ଯ୍ୟନ୍ତ ଉଭୟ ଦଳ ୧-୧ ଗୋଲ୍ରେ ବରାବର ସ୍ଥିତିରେ ଥିବା ବେଳେ ଶେଷ ମିନିଟ୍ରେ ଗୁରଜିତ୍ କୌର୍ ଗୋଲ୍ ଦେଇ ଭାରତକୁ ବିଜୟୀ କରାଇଛନ୍ତି। ଏଥିସହ ୫ ମ୍ୟାଚ୍ ବିଶିଷ୍ଟ ସିରିଜ୍ରେ ଭାରତ ୧-୦ରେ ଅଗ୍ରଣୀ ଲାଭ କରିଛି।

ପ୍ରଥମ କ୍ୱାର୍ଟରରେ ଉଭୟ ଦଳ ପରସ୍ପର ଗୋଲପୋଷ୍ଟ୍ ଉପରେ ଆକ୍ରମଣ କରିଥିଲେ ମଧ୍ୟ କେହି ବି ଅଗ୍ରଣୀ ନେବାରେ ସକ୍ଷମ ହୋଇପାରି ନ ଥିଲେ। ଦ୍ୱିତୀୟ କ୍ୱାର୍ଟରରେ ପ୍ରଥମ କିଛି ମିନିଟ୍ ସମୟରେ ଭାରତକୁ ଦୁଇଟି ପେନାଲଟି କର୍ଣ୍ଣର୍ ମିଳିଥିଲା। କିନ୍ତୁ ଗ୍ରେଟବ୍ରିଟେନ୍ ଗୋଲ୍କିପର୍ ମାଡି ହିଞ୍ଚ୍ ଚମକପ୍ରଦ ପ୍ରଦର୍ଶନ ପୂର୍ବକ ଭାରତୀୟ ଡ୍ରାଗଫ୍ଲିକର୍ଙ୍କ ଉଦ୍ୟମକୁ ପଣ୍ଡ କରିଦେଇଥିଲେ। ପରେ ପରେ ଗ୍ରେଟବ୍ରିଟେନର ଏକାଧିକ ଗୋଲ୍ ଉଦ୍ୟମକୁ ମଧ୍ୟ ଭାରତୀୟ ଗୋଲ୍କିପର୍ ସବିତା ବିଫଳ କରିଥିଲେ। ଫଳସ୍ୱରୂପ ଉଭୟ ଦଳ ପ୍ରଥମାର୍ଦ୍ଧ ଖେଳ ଶେଷ ସୁଦ୍ଧା କୌଣସି ଗୋଲ୍ ଦେବାରେ ସକ୍ଷମ ହୋଇପାରି ନ ଥିଲେ। ତୃତୀୟ କ୍ୱାର୍ଟରରେ ସ୍ଥିତିକୁ ନିଜ ନିୟନ୍ତ୍ରଣରେ ରଖିଥିଲେ ହେଁ ଘରୋଇ ଦଳର ରକ୍ଷଣପନ୍ଥୀ ଖେଳାଳିଙ୍କ ଦୃଢ଼ତା କାରଣରୁ ଗୋଲ୍ ଦେବାରେ ବିଫଳ ହୋଇଥିଲା। ଫଳସ୍ୱରୂପ ତୃତୀୟ କ୍ୱାର୍ଟର୍ ସୁଦ୍ଧା କେହି ବି ଆଗୁଆ ରହିପାରି ନ ଥିଲେ।

ଚତୁର୍ଥ କ୍ୱାର୍ଟରର ପ୍ରାରମ୍ଭରେ ଗ୍ରେଟବ୍ରିଟେନ୍ ଗୋଲଶୂନ୍ୟ ପରିସ୍ଥିତିରେ ପୂର୍ଣ୍ଣଚ୍ଛେଦ ପକାଇଥିଲା। ଦଳ ପକ୍ଷରୁ ୪୬ତମ ମିନିଟ୍ରେ ଏମିଲି ଡିଫ୍ରଣ୍ଡ୍ ଗୋଲ୍ ଦେବାରେ ସକ୍ଷମ ହୋଇଥିଲେ। ୦-୧ରେ ପଛୁଆ ରହିବା ସତ୍ତେ୍ୱ ଭାରତ ପ୍ରତିପକ୍ଷ ଉପରେ ଚାପ ସୃଷ୍ଟି କରିଥିଲା ଓ ତୁରନ୍ତ ସ୍ଥିତିକୁ ବରାବର କରିପାରିଥିଲା। ଭାରତ ପକ୍ଷରୁ ପ୍ରଥମ ଗୋଲଟି ଶର୍ମିଲା ଦେବୀ ସ୍କୋର୍ କରିଥିଲେ। ଏହାପରେ ଶେଷ ମିନିଟରେ ଖେଳ ପହଞ୍ଚିବା ପର୍ଯ୍ୟନ୍ତ ଆଉ କୌଣସି ଗୋଲ୍ ହୋଇ ନ ଥିଲା। ତେଣୁ ପ୍ରଥମ ମ୍ୟାଚ୍ଟି ୧-୧ରେ ଶେଷ ହେବ ବୋଲି ଦର୍ଶକ ଅନୁଭବ କରିଥିଲେ। କିନ୍ତୁ ୪୮ ସେକେଣ୍ଡ୍ ବାକି ଥିବା ବେଳେ ଭାରତକୁ ଏକ ପେନାଲ୍ଟି କର୍ଣ୍ଣର୍ ମିଳିଥିଲା। ଏହାକୁ ଗୁରଜିତ୍ ଗୋଲ୍ରେ ପରିଣତ କରି ଭାରତକୁ ବିଜୟୀ କରାଇଥିଲେ। ସିରିଜ୍ର ଦ୍ୱିତୀୟ ମ୍ୟାଚ୍ ରବିବାର ଖେଳାଯିବ।