ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ପାଟଣା ଥାନା ଟାଇଁସିରା ଗ୍ରାମର ଏକ ଆମ୍ବ ବଗିଚାରେ ଥିବା ଏକ କୁଡିଆ ସମ୍ମୁଖରୁ ବୃଦ୍ଧଙ୍କ କ୍ଷତବିକ୍ଷତ ଶବ ଉଦ୍ଧାର ହୋଇଛି। ମୃତକ କୁଦାବେଡା ଗ୍ରାମର ବବୁଲୁ ନାଏକ। ଆଜି ସକାଳୁ ସ୍ଥାନୀୟ ଲୋକ ମୃତ ଦେହ ଦେଖି ପାଟଣା ପୁଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପୁଲିସ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଛି। ତେବେ ମୃତକଙ୍କ ପତ୍ନୀ ଶାନ୍ତି ନାଏକ ତାଙ୍କ ସ୍ୱାମୀ ବବୁଲୁଙ୍କୁ ପିଟି ପିଟି ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି।
ପୁଲିସ ସୂଚନା ଅନୁସାରେ ପାରିବାରିକ କଳହକୁ ନେଇ ସମ୍ପର୍କୀୟ ନାତି ସନ୍ତୋଷ ନାଏକ ଅଜା ବବୁଲୁକୁ କାଠ ଫାଳିଆରେ ପିଟି ପିଟି ହତ୍ୟା ପରେ ଆମ୍ବ ବଗିଚାରେ ପକାଇ ଦେଇ ପଳେଇଥିଲା। ଅଭିଯୋଗ ପରେ ପୁଲିସ ଶବକୁ ଜବତ କରି ଅଭିଯୁକ୍ତ ନାତିକୁ ଥାନାରେ ଅଟକ ରଖିଛି। ସେହିପରି ତଦନ୍ତ ଜାରି ରହିଥିବା ଜଣାପଡ଼ିଛି।