ଦେବଗଡ଼,ଏନଏନଏସ : ପଶ୍ଚିମ ଓଡ଼ିଶାର ରାଉରକେଲା ଓ ସୁନ୍ଦରଗଡ଼ ଜିଲ୍ଲାରେ ବିଶ୍ୱର ନଂ୧ ହକି ଷ୍ଟାଡିୟମ ନିର୍ମାଣ ସହ ରାଉରକେଲା ସହରର ସୌନ୍ଦର୍ଯ୍ୟକରଣ ଓ ବିମାନ ସେବାର ଶୁଭାରମ୍ଭ କରି ବିଶ୍ୱ ଦରବାରରେ ଏକ ସ୍ୱତନ୍ତ୍ର ପରିଚୟ ଦେଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସୁନ୍ଦରଗଡ଼ ଜିଲ୍ଲାବାସୀ କୃତଜ୍ଞତା ଜଣାଇଛନ୍ତି । ସେହିପରି ସୁନ୍ଦରଗଡ଼ ଜିଲ୍ଲାର ପୁରପଲ୍ଲୀରୁ ୧୫୦ ଯୁବକ ପ୍ରବଳ ଜାଡ଼କୁ ଖାତିର ନକରି ରାଉରକେଲାରୁ ସାଇକେଲ ଯୋଗେ ଭୁବନେଶ୍ୱର ବାହାରିଛନ୍ତି । ଗତକାଲି ରାଉରକେଲାରୁ ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକରେ ପହଞ୍ଚି ସେଠାରେ ରାତ୍ରିଯାପନ କରିବା ପରେ ଆଜି ସକାଳୁ ପୁଣିଥରେ ଯାତ୍ରା ଆରମ୍ଭ କରି ଭୁବନେଶ୍ୱର ଅଭିମୁଖେ ବାହାରିଛନ୍ତି । ଦେବଗଡ଼ ଜିଲ୍ଲା ବିଜେଡି ସଭାପତି ରୋମାଞ୍ଚ ରଞ୍ଜନ ବିଶ୍ୱାଳଙ୍କ ତତ୍ୱାବଧାନରେ ଦଳୀୟ ପଦାଧିକାରୀମାନେ ଏହି ସାଇକେଲ ଯାତ୍ରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇବା ସହ ରାତ୍ରିଯାପନର ସମସ୍ତ ବ୍ୟବସ୍ଥା ତଦାରଖ କରିଥିଲେ । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଐତିହାସିକ ପଦକ୍ଷେପ ଯୋଗୁ ଓଡ଼ିଶା ବିଶ୍ୱ ଦରବାରରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବାରୁ ରାଜ୍ୟର ସମସ୍ତ ଅଞ୍ଚଳର ଜନସାଧାରଣ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତି ଥିବା ସମର୍ଥନକୁ ଆହୁରି ଦୃଢ଼ କରିବାକୁ ସାଇକେଲ ଯାତ୍ରୀଗଣ ଆହ୍ୱାନ ଦେଇଛନ୍ତି ।