ୟୁକ୍ରେନରୁ ଓଡିଆଙ୍କୁ ଉଦ୍ଧାର ପାଇଁ ଗଲେ ରାଜ୍ୟ ସରକାରଙ୍କ ୪ ପ୍ରତିନିିଧି

ଭୁବନେଶ୍ବର,ଏନ୍ଏନ୍ଏସ୍: ୟୁକ୍ରେନରେ ଫସି ରହିଥିବା ଓଡିଆଙ୍କୁ ଉଦ୍ଧାର କରିବା ଲାଗି ରାଜ୍ୟ ସରକାର ଅନେକ ପଦକ୍ଷେପ ନେଇଛନ୍ତି। ତେବେ ରାଜ୍ୟ ସରକାରଙ୍କ ପକ୍ଷରୁ ଆଉ ନୂତନ ପଦକ୍ଷେପ ହାତକୁ ନିଆଯାଇଛି। ଓଡ଼ିଆଙ୍କୁ ଉଦ୍ଧାର ଲାଗି ରାଜ୍ୟ ସରକାର ୪ ଅଧିକାରୀଙ୍କୁ ମନୋନୀତ କରିଛନ୍ତି।

ୟୁକ୍ରେନରୁ ଓଡିଆଙ୍କୁ ଉଦ୍ଧାର ଯୋଜନା: ଚାରି ପ୍ରତିନିଧି ମନୋନିତ କଲେ ରାଜ୍ୟ ସରକାର

ଏମାନେ ୟୁକ୍ରେନ ଓ ତାର ପଡୋଶୀ ଦେଶରେ ଫସି ରହିଥିବା ଓଡିଆମାନଙ୍କୁ ଫେରାଇ ଆଣିବା ପାଇଁ ବ୍ୟବସ୍ଥା କରିବା ସହ ସମନ୍ୱୟ ରକ୍ଷା କରିବେ। ଏନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ତେବେ ରାଜ୍ୟ ସରକାର ମନୋନୀତ କରିଥିବା ପ୍ରତିନିଧିମାନଙ୍କ ମଧ୍ୟରେ ଅଛନ୍ତି କିଟ୍‍ ବିଶ୍ୱବିଦ୍ୟାଳୟର ଉପସଭାପତି ବିକ୍ରମାଦିତ୍ୟ।

ତାଙ୍କୁ ପୋଲାଣ୍ଡ ସମେତ ସମୁଦାୟ ଉଦ୍ଧାର କାର୍ଯ୍ୟରେ ସମନ୍ୱୟ ରକ୍ଷା କରିବାକୁ କୁହାଯାଇଛି। ବିକ୍ରମାଦିତ୍ୟ କିଟ୍‍ ବିଶ୍ୱବିଦ୍ୟାଳୟର ଆର୍ନ୍ତଜାତୀୟ ବିଭାଗ ଦାୟିତ୍ୱରେ ରହିଛନ୍ତି। ସେହିଭଳି ୟୁଏନ୍‍ଏଚ୍‍ସିଆରରେ ଥିବା ବରିଷ୍ଠ ଟିଡିପିଏସ୍‍ ଅଫିସର ଆଶିଷ ରାୟ।

ଆଶିଷଙ୍କୁ ହଙ୍ଗେରୀ ସହିତ ସମନ୍ୱୟ ରକ୍ଷା ଦାୟିତ୍ୱ ଦିଆଯାଇଛି। ସେହଭଳି ରୋମ୍‍ରେ ଥିବା ଜାତିସଂଘର ପଲିସୀ ଅଫିସର ବୈଶାଳୀ ମହାନ୍ତି। ବୈଶାଳୀ ରୋମାନିଆ ସହିତ ସମନ୍ୱୟ ରକ୍ଷା କରିବେ।

ହଙ୍ଗେରୀରେ ଥିବା ପରାମର୍ଶଦାତା ଅନୁରାଗ ପଟ୍ଟନାୟକଙ୍କୁ ସ୍ଲୋଭାକିଆ ସହିତ ସମନ୍ୱୟ ରକ୍ଷା ଲାଗି ଓଡିଶା ସରକାର ଦାୟିତ୍ୱ ଦେଇଛନ୍ତି। ଓଡିଆଙ୍କୁ ୟୁକ୍ରେନ ଯୁଦ୍ଧ ଭୂମିରୁ ଫେରାଇ ଆଣିବା ପାଇଁ ଟିମ୍‍ ଗଠନ ସହିତ ନୂଆଦିଲ୍ଲୀରେ ଥିବା ଓଡିଶାର ଆବାସିକ କମିଶନରଙ୍କୁ ନୋଡାଲ ଅଫିସର ଭାବେ ଦାୟିତ୍ୱ ଦିଆଯାଇଛି। ସେ ଉଦ୍ଧାର କାର୍ଯ୍ୟ ସହିତ କେନ୍ଦ୍ର ସରକାରଙ୍କ ସହ ସମନ୍ୱୟ ରକ୍ଷା କରିବେ।

ଓଡ଼ିଆ ନାଗରିକ ଓ ଛାତ୍ରଛାତ୍ରୀମାନଙ୍କୁ ୟୁକ୍ରେନରୁ ଉଦ୍ଧାର ପାଇଁ ଖର୍ଚ୍ଚ ରାଜ୍ୟ ସରକାରଙ୍କ ପକ୍ଷରୁ ଭରଣା କରାଯିବ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି। ୟୁକ୍ରେନରୁ ଭାରତୀୟଙ୍କୁ କେନ୍ଦ୍ର ସରକାର ‘ଅପରେସନ ଗଙ୍ଗା’ ମାଧ୍ୟମରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଏଥିରେ କେତେକ ଓଡିଆ ଛାତ୍ରଛାତ୍ରୀ ମଧ୍ୟ ଓଡିଶା ପ୍ରତ୍ୟାବର୍ତ୍ତନ କରିଛନ୍ତି।

ବାକି ଫସି ରହିଥିବା ଅନ୍ୟ ମାନଙ୍କୁ କିଭଳି ଉଦ୍ଧାର ହୋଇ ଓଡିଶା ଆସିବେ ତାହା ଉପରେ ରାଜ୍ୟ ସରକାର ପ୍ରାଧାନ୍ୟ ଦେଉଛନ୍ତି। ଅନ୍ୟପକ୍ଷରେ ଓଡ଼ିଆଙ୍କୁ ଉଦ୍ଧାର କରିବାରେ କେନ୍ଦ୍ର ସରକାର ସହଯୋଗ କରୁନଥିବା କିଛି ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି।