ରାଜ୍ୟପାଳଙ୍କ ପାଖରେ କଙ୍ଗାନ ରନାୱତଙ୍କୁ ଭେଟିବାର ସମୟ ଅଛି କିନ୍ତୁ କୃଷକଙ୍କ ପାଇଁ ସମୟ ନାହିଁ: ଶରଦ ପାୱାର

ନୂଆଦିଲ୍ଲୀ: କୃଷକଙ୍କ ଆନ୍ଦୋଳନ ଆଜି ୬୧ ଦିନରେ ପହଞ୍ଚିଛି। ଇତିମଧ୍ୟରେ କୃଷକଙ୍କ ସମର୍ଥନରେ ମୁମ୍ବାଇର ଆଜାଦ ପଡ଼ିଆରେ କୃଷକଙ୍କ ରାଲି ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଏନସିପି ମୁଖ୍ୟ ଶରଦ ପାୱାର ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂ କୋଶ୍ୟାରୀଙ୍କୁ ଟାର୍ଗେଟ କରିଥିଲେ।

ଶରଦ କହିଛନ୍ତି ଯେ, ‘ମହାରାଷ୍ଟ୍ର ଇତିହାସରେ ଏମିତି ରାଜ୍ୟପାଳ ଦେଖିବାକୁ ମିଳିନଥିଲା। କୃଷକ ମୁମ୍ବାଇରେ ଥିବାବେଳେ ରାଜ୍ୟପାଳ ଗୋଆ ଚାଲିଯାଇଛନ୍ତି। ରାଜ୍ୟପାଳଙ୍କ ପାଖରେ କଙ୍ଗନା ରନାୱତଙ୍କୁ ଭେଟିବାର ସମୟ ଅଛି କିନ୍ତୁ କୃଷକଙ୍କ ପାଇଁ ସମୟ ନାହିଁ।’

ପାୱାର ଆହୁରି କହିଛନ୍ତି ଯେ, ମହାରାଷ୍ଟ୍ର ଦେଶର ଏକ ଗୁରୁତ୍ୱପୂର୍ଣ୍ଣ ସହର। ସ୍ୱାଧୀନତା ଲଢ଼େଇରେ ମୁମ୍ବାଇ ମୁଖ୍ୟ ଭୂମିକା ଗ୍ରହଣ କରିଥିଲା। ଯାହାଙ୍କ ହାତରେ ସରକାର ରହିଛି କୃଷକଙ୍କ ଲାଗି ସେମାନଙ୍କର କୌଣସି ଚିନ୍ତା ନାହିଁ। ଏତେଦିନରୁ କୃଷକ ଆନ୍ଦୋଳନ କରୁଛନ୍ତି କିନ୍ତୁ ପ୍ରଧାନମନ୍ତ୍ରୀ ମୋଦୀ ଏବେସୁଦ୍ଧା ସେମାନଙ୍କ ଖବର ନେଇ ନାହାନ୍ତି।