ନୂଆଦିଲ୍ଲୀ,ଏଜେନ୍ସି: ଚେନ୍ନାଇରେ ଶନିବାର ଦକ୍ଷିଣ ଭାରତୀୟ ବାଣିଜ୍ୟ ଓ ଉଦ୍ୟୋଗ ପରିସଂଘ ଦ୍ୱାରା ରାମଚନ୍ଦ୍ରନ ସ୍ମାରକ ବ୍ୟାଖାନ କାର୍ଯ୍ୟକ୍ରମରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଯୋଗଦେଇ କହିଛନ୍ତି ଯେ କେତେକ ଦେଶ ସହିତ ମୁକ୍ତ ବାଣିଜ୍ୟ ବେପାର ରାଜିନାମା ହୋଇଥିବା ବେଳେ ଏଥିରେ ଭାରତୀୟ ରପ୍ତାନୀକାରୀ ଆନୁପାତିକ ଭାବେ ଉପକୃତ ହେଉନାହାନ୍ତି।
ଏଥିସହ ସେ କହିଛନ୍ତି ଯେ ଆଞ୍ଚଳିକ ପୂର୍ଣ୍ଣାଙ୍ଗ ଆର୍ଥିକ ସହଭାଗିତା ବା ଆର୍ସିଇପି ମଧ୍ୟ ଭାରତର ଆକାଂକ୍ଷା ପୂରଣ କରିବାକୁ ଅନୁପଯୁକ୍ତ। ସେଥିପାଇଁ ଭାରତ ଏଥିରେ ଯୋଗଦେଇନାହିଁ । ଅନ୍ୟପକ୍ଷରେ ବ୍ୟାଙ୍କିଙ୍ଗ କ୍ଷେତ୍ରକୁ ନିୟନ୍ତ୍ରଣ କରିବା ପାଇଁ ନିୟାମକ ଯନ୍ତ୍ରକ୍ରିୟା ପ୍ରସ୍ତୁତ କରିବା ଉପରେ ସେ ଗରୁତ୍ୱାରୋପ କରିଛନ୍ତି।
କେତେକ ସମବାୟ ବ୍ୟାଙ୍କରେ ଘଟିଥିବା ଦୁର୍ନୀତି ସମ୍ପର୍କରେ ଉଲ୍ଲେଖ କରି ଅର୍ଥମନ୍ତ୍ରୀ କହିଛନ୍ତି, ଏହାକୁ ରୋକିବା ଏବଂ ବ୍ୟବସ୍ଥାରେ ଉନ୍ନତି ଆଣିବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ପ୍ରୟାସ ଆରମ୍ଭ ହୋଇଛି। ଦେଶରେ ଅଧିକାଂଶ ବ୍ୟବସାୟୀକ ବ୍ୟାଙ୍କର ଯେଉଁସବୁ ଅନାଦାୟ ଋଣ ସମସ୍ୟା ଥିଲା ସେଥିରେ ଉନ୍ନତି
ପରିଲକ୍ଷିତ ହୋଇଛି। ବ୍ୟାଙ୍କ ଉଦ୍ୟୋଗରେ ଅଧିକ ଉତ୍ତମ ନିୟନ୍ତ୍ରଣ ବ୍ୟବସ୍ଥା କାର୍ୟ୍ୟକାରୀ କରିବା ପାଇଁ ସରକାରଙ୍କ ପକ୍ଷରୁ ଉଦ୍ୟମ ଚାଲିଛି ବୋଲି କହିଥିଲେ। ସେହିପରି ଅଟୋମୋବାଇଲ କ୍ଷେତ୍ରରେ ଉତ୍ସର୍ଜନ ନିୟମରେ ସୁଧାର ଆଣିବା ପାଇଁ ଉଚ୍ଚନ୍ୟାୟାଳୟ ପକ୍ଷରୁ ୨ବର୍ଷ ସମୟସୀମା ନିଶ୍ଚିତ ହୋଇଛି। ଏଥିପାଇଁ କେନ୍ଦ୍ର ସରକାର ନୂତନ ଯାନବାହନ ପାଇଁ ଉତ୍ସର୍ଜନ ମାନକ ପ୍ରସ୍ତୁତ କରିଛି।