କୋଭିଡ୍ ଟିକାକରଣ ପାଇଁ ସରକାର ପ୍ରସ୍ତୁତ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ ୧ଲକ୍ଷ ୯୨ହଜାର ୫୫୫ ଜଣ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ କରୋନା ପ୍ରତିଷେଧକ ଟିକାକରଣ କରାଯିବ। ଏଥିପାଇଁ ୪ଲକ୍ଷ ୮ହଜାର କୋଭିସିଲ୍ଡ ଟିକା ଓ ୨୦ ହଜାର କୋଭାସ୍କିନ୍ ଟିକା ପହଞ୍ôଚସାରିଛି। କୋଭିସିଲ୍ଡ ଟିକା ୧୦ ଡୋଜ୍ ବିଶିଷ୍ଟ ହୋଇଥିବା ବେଳେ କୋଭାସ୍କିନ୍ ଟିକା ୨୦ ଡୋଜ୍ ବିଶିଷ୍ଟ ଅଟେ। ଟିକାକରଣ ପାଇଁ ପଞ୍ଜିକୃତ ହୋଇଥିବା ସ୍ୱାସ୍ଥ୍ୟକର୍ମଚାରୀଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ଜିଲ୍ଲାମାନଙ୍କୁ ଆବଶ୍ୟକୀୟ ପରିମାଣର ଟିକା ଯୋଗାଇ ଦିଆଯାଇଅଛି। ନିୟମ ଅନୁଯାୟୀ, ପ୍ରତ୍ୟେକ କର୍ମଚାରୀ କେବଳ ଗୋଟିଏ ପ୍ରକାରର ଟିକା(କୋଭିସିଲ୍ଡ କିମ୍ବା କୋଭାସ୍କିନ୍)୨ଟି ମାତ୍ରାରେ ନେଇପାରିବେ। କୌଣସି କ୍ଷେତ୍ରରେ ୨ଟି ମାତ୍ରା ପାଇଁ ଅଲଗା ଅଲଗା ପ୍ରକାର ଟିକା ନେଇପାରିବେ ନାହିଁ। ଟୀକାକରଣ ସମୟରେ ପ୍ରତ୍ୟେକ ଡାକ୍ତରଖାନାର ସମସ୍ତ କର୍ମଚାରୀ (ସଫେଇ କର୍ମୀ ଠାରୁ ଡାକ୍ତରଙ୍କ ପର୍ଯ୍ୟନ୍ତ)ଯେପରି ଟିକା ନେଇପାରିବେ , ସେଥିପାଇଁ ଯଥେଷ୍ଟ ଟିକା ଉପଲବ୍ଧ କରାଇବାକୁ ପଦକ୍ଷେପ ନିଆଯାଇଛି।
ସ୍ୱାସ୍ଥ୍ୟ ସେବା ପ୍ରଦାନକରୁଥିବା ସ୍ୱାସ୍ଥ୍ୟ ଅନୁଷ୍ଠାନ ମାନଙ୍କୁ (ସରକାରୀ ଏବଂ ଘରୋଇ) ତ୍ରିସ୍ତରୀୟ, ଦ୍ୱିସ୍ତରୀୟ ଓ ପ୍ରାଥମିକ ସ୍ତରୀୟ ସେବା ଉପଲବ୍ଧକୁ ବିଚାରକୁ ନେଇ କରୋନା ଟୀକାକରଣ ପାଇଁ ଅଗ୍ରାଧିକାର ଦିଆଯିବ। ସର୍ବପ୍ରଥମେ ତ୍ରୀସ୍ତରୀୟ ସ୍ୱାସ୍ଥ୍ୟ ଅନୁଷ୍ଠାନରେ ଏହି ଟୀକାକରଣ ଆରମ୍ଭ କରାଯିବ। ଡାକ୍ତରଖାନାରେ ଯଥେଷ୍ଟ ପରିମାଣର କରୋନା ଟୀକା ଉପଲବ୍ଧ ହୋଇ ନପାରିଲେ, ବରିଷ୍ଠ କର୍ମଚାରୀମାନଙ୍କୁ ଟୀକାକରଣ ପାଇଁ ଅଗ୍ରାଧିକାର ଦିଆଯିବ। ସମଗ୍ର ରାଜ୍ୟରେ ୧୬୦ଟି ନିର୍ଦ୍ଧାରିତ ଡାକ୍ତରଖାନାରେ ଶନିବାରଠାରୁ କରୋନା ଟୀକାକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯିବ।

ଏନେଇ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ କୋଭିଡ୍ ପରିଚାଳନା ସମ୍ପର୍କିତ ରାଜ୍ୟ ଷ୍ଟିଅରିଂ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା, ଅତିରିକ୍ତ ମୁଖ୍ୟ ଶାସନ ସଚିବ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପ୍ରଦୀପ୍ତ କୁମାର ମହାପାତ୍ର, ଜାତୀୟ ସ୍ୱାସ୍ଥ୍ୟ ମିଶନ୍ ମିଶନ୍ ନିର୍ଦ୍ଦେଶିକା ଶାଲିନ୍ ପଣ୍ଡିତଙ୍କ ସମେତ ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ। କରୋନା ପରିଚାଳନାରେ ପ୍ରତ୍ୟକ୍ଷ ଭାବେ ସମ୍ପୃକ୍ତ ରାଜସ୍ୱ ବିଭାଗର କର୍ମଚାରୀମାନଙ୍କର ଟୀକାକରଣ ପାଇଁ ଡାଟାବେସ୍ ପ୍ରସ୍ତୁତ କରିବାକୁ ବୈଠକରେ ନିଷ୍ପତ୍ତିି ନିଆଯାଇଥିଲା ।