ପେଟ୍ରୋଲ ଉପରେ ଏକ୍ସାଇଜ୍ ଡ୍ୟୁଟି ୧୦ ଟଙ୍କା, ଡିଜେଲ ୧୩ ଟଙ୍କା ବୃଦ୍ଧି, ଗ୍ରାହକଙ୍କ ଉପରେ ପଡ଼ିବନି ପ୍ରଭାବ

ନୂଆଦିଲ୍ଲୀ,ଏଜେନ୍ସି: କେନ୍ଦ୍ର ସରକାର ମଙ୍ଗଳବାର ପେଟ୍ରୋଲ ଲିଟର ପିଛା ୧୦ ଟଙ୍କା ଏବଂ ଡିଜେଲ ଲିଟର ପିଛା ୧୩ ଟଙ୍କା ଏକ୍ସାଇଜ୍ ଡ୍ୟୁଟି ବୃଦ୍ଧି କରିଛନ୍ତି। ତେବେ ଏହି ନୂତନ ରେଟ ଆଜିଠୁ ଲାଗୁ ହୋଇଛି। ବଢ଼ୁଥିବା ଏକ୍ସାଇଜ୍ ରେଟ ତୁଳନାରେ ଅଶୋଧିତ ତୈଳ ମୂଲ୍ୟ ବ୍ୟାରେଲ ପିଛା ୨୩.୮୬ ଡଲାର ରହି ଆସିଛି।

ଜାରି କରାଯାଇଥିବା ବିଜ୍ଞପ୍ତି ଅନୁଯାୟୀ ପେଟ୍ରୋଲ ଉପରେ ଲିଟର ପିଛା ୧୦ ଟଙ୍କା ବୃଦ୍ଧି ହୋଇଛି ଯାହାକି ୮ ଟଙ୍କା ରାସ୍ତା ଏବଂ ଭିତ୍ତିଭୂମି ସେସ୍ ହୋଇଥିବାବେଳେ ୨ ଟଙ୍କା ସ୍ୱତନ୍ତ୍ର ଅତିରିକ୍ତ ଏକ୍ସାଇଜ୍ ଡ୍ୟୁଟି ରହିଛି। ସେହିପରି ଡିଜେଲରେ ଲିଟର ପିଛା ୧୩ ଟଙ୍କା ବୃଦ୍ଧି ପାଇଥିବା ବେଳେ ସେଥିରେ ୮ ଟଙ୍କା ରାସ୍ତା ଏବଂ ଭିତ୍ତିଭୂମି ସେସ୍ ହୋଇଥିବାବେଳେ ୫ ଟଙ୍କା ସ୍ୱତନ୍ତ୍ର ଅତିରିକ୍ତ ଏକ୍ସାଇଜ୍ ଡ୍ୟୁଟି ରଖାଯାଇଛି।

ତେବେ ଏହି ଡ୍ୟୁଟିରୁ ଆସିବା ରାଜସ୍ୱକୁ ଅନ୍ୟାନ୍ୟ ବିକାଶମୂଳକ ବସ୍ତୁ ପାଇଁ ବ୍ୟବହୃତ ହେବ ବୋଲି ଅଧିକାରୀ କହିଛନ୍ତି। ଏଥିସହ ଅଧିକାରୀ କହିଛନ୍ତି ଯେ ପେଟ୍ରୋଲ ଏବଂ ଡିଜେଲର ଖୁଚୁରା ବିକ୍ରୟ ମୂଲ୍ୟ ଡ୍ୟୁଟିର ଏହି ବୃଦ୍ଧି ଯୋଗୁଁ ପରିବର୍ତ୍ତନ ହେବ ନାହିଁ, ତେଣୁ ଏହା ଗ୍ରାହକଙ୍କ ଉପରେ କୌଣସି ପ୍ରଭାବ ପକାଇବ ନାହିଁ।