୩ଟି କୃଷି ଆଇନ ବଦଳାଇବାର ସଙ୍କେତ ଦେଲେ ସରକାର

ନୂଆଦିଲ୍ଲୀ: କୃଷକ ଆନ୍ଦୋଳନକୁ ଦୃଷ୍ଟିରେ ରଖି ୩ଟି କୃଷି ଆଇନରେ ପରିବର୍ତ୍ତନ ଆଣିବା ପାଇଁ ସରକାର ସବୁଜ ସଙ୍କେତ ଦେଖାଇଛନ୍ତି। କୃଷକ ସଂଗଠନ ସହ ବୈଠକ ପରେ ଏମଏସପିକୁ ମଧ୍ୟ ଏକ ଆଇନରେ ପରିଣତ କରିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। କିନ୍ତୁ କୃଷକ ନେତା କୃଷି ଆଇନରେ ପରିବର୍ତ୍ତନ ଆଣିବାର ପ୍ରସ୍ତାକୁ ନାମଞ୍ଜୁର କରି ଆଇନକୁ ଫେରାଇ ନେବା ଜିଦରେ ଅଟଳ ଅଛନ୍ତି। ସେଥିପାଇଁ ସରକାର ଓ କୃଷକ ନେତାଙ୍କ ମଧ୍ୟରେ ଆସନ୍ତାକାଲି ପୁଣିଥରେ ବୈଠକ ହେବ। ଆଗାମୀ ବୈଠକ ପ୍ରଦର୍ଶନ ସମାପ୍ତ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିବ ବୋଲି ସରକାର ଆଶା ରଖିଛନ୍ତି।

ସୂଚନାଯୋଗ୍ୟ, ରାଜଧାନୀ ଦିଲ୍ଲୀ ସୀମାରେ ୯ ଦିନ ହେବ ଜାରି ରହିଥିବା କୃଷକ ଆନ୍ଦୋଳନକୁ ସମାପ୍ତ କରିବା ପାଇଁ ସରକାର ଗୋଟିଏ ପାଦ ପଛକୁ ହଟିଛନ୍ତି। ଗୁରୁବାର ସରକାର ଓ କୃଷକ ନେତାଙ୍କ ମଧ୍ୟରେ ହୋଇଥିବା ବୈଠକରେ ସରକାର ୩ଟି ବିବାଦିତ କୃଷି ଆଇନରେ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏମଏସପି ଆଇନ ଅନ୍ତର୍ଗତ ଆସୁଥିବା ମଣ୍ଡିକୁ ଆହୁରି ସଶକ୍ତ କରିବା ପାଇଁ ମଧ୍ୟ ସରକାର ପ୍ରସ୍ତୁତି ଚଲାଇଛନ୍ତି।