ନୂଆଦିଲ୍ଲୀ,ଏଜେନ୍ସି : କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ କେନ୍ଦ୍ର ସରକାର ୨୧ ଦିନ ପାଇଁ ଲକ୍ ଡାଉନ୍ କରିଛନ୍ତି। ଉକ୍ତ ଲକ୍ ଡାଉନ୍ ଅବଧିକୁ ୯୦ ଦିନ ପାଇଁ ବୃଦ୍ଧି କରାଯିବ ବୋଲି ସୋସିଆଲ୍ ମିଡିଆରେ ଖବର ପ୍ରସାରଣକୁ ନେଇ ଲୋକମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବାରୁ ସରକାର ବାଧ୍ୟ ହୋଇ ସ୍ପଷ୍ଟୀକରଣ ଜାରି କରିଛନ୍ତି। ସୋମବାର କ୍ୟାବିନେଟ୍ ସଚିବ ରାଜୀବ ଗୌବା ସୋସିଆଲ୍ ମିଡିଆରେ ପ୍ରସାରିତ ରିପୋର୍ଟକୁ ଖଣ୍ଡନ କରି କହିଛନ୍ତି ଯେ ଲକ୍ ଡାଉନ୍ ଅବଧିକୁ ଏପ୍ରିଲ ୧୪ରୁ ଆଗକୁ ବୃଦ୍ଧି କରାଯିବାର ଯୋଜନା ନାହିଁ। ଏହାଛଡ଼ା ଭାରତୀୟ ସେନାରେ ଜରୁରିକାଳୀନ ନିଯୁକ୍ତି ସମ୍ପର୍କିତ ସୂଚନାକୁ ମଧ୍ୟ ଗୁଜବ ବୋଲି ଗୌବା ସ୍ପଷ୍ଟ କରିଛନ୍ତି ।
ପ୍ରଶାସନିକ କାର୍ଯ୍ୟରେ ସାହାଯ୍ୟ କରିବା ପାଇଁ ସେନା ତରଫରୁ ଜରୁରିକାଳୀନ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେବ ବୋଲି ଏକ ଭାଇରାଲ୍ ଖବର ପ୍ରସାରିତ ହୋଇଥିଲା। ପୂର୍ବତନ ସୈନିକ ଓ ଏନସିସି କ୍ୟାଡେଟଙ୍କୁ ପ୍ରାଥମିକତା ଦିଆଯିବ ବୋଲି ଉଲ୍ଲେଖ କରାଯାଇଥିଲା। ଲକ୍ ଡାଉନ୍ ସମୟରେ ଦିଲ୍ଲୀ, ମୁମ୍ବାଇ, ସୁରତ ସମେତ ପ୍ରମୁଖ ସହରରୁ ହଜାର ହଜାର ସଂଖ୍ୟକ ଦିନ ମଜୁରିଆ ସେମାନଙ୍କ ଗ୍ରାମକୁ ଚାଲିଯିବା ଉପରେ କେନ୍ଦ୍ର ସରକାର ଉଦବେଗ ପ୍ରକାଶ କରି ଜରୁରୀ ପାଣ୍ଠି ନିୟମରେ ପରିବର୍ତ୍ତନ କରିଛନ୍ତି। ଲକ୍ ଡାଉନ୍ ପ୍ରକ୍ରିୟାକୁ କଡ଼ାକଡ଼ି କରିବା ପାଇଁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଚିଠି ଲେଖାଯାଇଛି। ଉକ୍ତ ଚିଠିରେ ଦାଦନ ଶ୍ରମିକଙ୍କ ପାଇଁ ଅସ୍ଥାୟୀ ଶିବିର ଖୋଲିବାକୁ ରାଜ୍ୟ ସରକାର ଓ କେନ୍ଦ୍ରଶାସିତ ଅଞ୍ଚଳ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି ।
ଶିବିରରେ ଖାଦ୍ୟପାନୀୟ ଓ ମେଡିକାଲ ସୁବିଧା ପ୍ରଦାନ କରିବାକୁ ପରାମର୍ଶ ଦିଆଯାଇଛି। ତା’ ସହିତ ରାଜ୍ୟ ସୀମାନ୍ତ ଅଞ୍ଚଳରେ ଚଳପ୍ରଚଳ କରୁଥିବା ଦାଦନ ଶ୍ରମିକଙ୍କୁ ୧୪ ଦିନ ପାଇଁ କ୍ୱାରେଣ୍ଟାଇନରେ ରଖିବାକୁ ନିର୍ଦ୍ଦେଶ ଜାରି କରାଯାଇଛି। ଦାଦନଙ୍କ ପଳାୟନ ଉପରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ସରକାରୀ ବାସଭବନରେ ମନ୍ତ୍ରୀସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ଶ୍ରମିକଙ୍କୁ ତୁରନ୍ତ ବକେୟା ଦରମା ପ୍ରଦାନ କରିବାକୁ ସରକାର ସବୁ କମ୍ପାନୀ, ଦୋକାନ ମାଲିକ ଓ ଅନ୍ୟ ସଂଗଠନକୁ କଡ଼ା ନିର୍ଦ୍ଦେଶନାମା ଜାରି କରିଛନ୍ତି। ତା’ ସହିତ ଭଡ଼ାଟିଆଙ୍କ ପ୍ରତି କୋହଳ ଆଭିମୁଖ୍ୟ ପୋଷଣ କରିବାକୁ ଘରମାଲିକଙ୍କୁ ପରାମର୍ଶ ଦିଆଯାଇଛି। କୌଣସି ଘରମାଲିକ ସରକାରୀ ନିର୍ଦ୍ଦେଶକୁ ଅମାନ୍ୟ କଲେ, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପୁଲିସ ପ୍ରଶାସନକୁ କୁହାଯାଇଛି। ସରକାରୀ ନିର୍ଦ୍ଦେଶନାମା ପାଳନରେ ସାମାନ୍ୟ ଖିଲାପ କରାଯାଉଥିବା ଦୃଷ୍ଟିଗୋଚର ହେଲେ, ସମ୍ପୃକ୍ତ ଅଞ୍ଚଳର ଏସପି ଓ ଜିଲ୍ଲାପାଳଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି।