ଗୋପାଳପୁର ବନ୍ଦରର ହେବ ବିକାଶ :୧୦ କୋଟିରେ ମତ୍ସ୍ୟଜୀବୀଙ୍କ ପାଇଁ ନୂଆ ଜେଟି

ଭୁବନେଶ୍ୱର, ଏନ୍ଏନ୍ଏସ୍: ଗୋପାଳପୁର ବନ୍ଦରର ବିକାଶ ପାଇଁ ଅଣ୍ଟା ଭିଡ଼ିଛନ୍ତି ରାଜ୍ୟ ସରକାର। ଏନେଇ କିଛିଦିନ ପୂର୍ବେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ବିଭିନ୍ନ ପ୍ରସଙ୍ଗକୁ ନେଇ ଆଲୋଚନା ହୋଇଥିଲା। ବୈଠକରେ ଜମି ଅଧିଗ୍ରହଣ, ବନ୍ଦରର କାୟା ବୃଦ୍ଧି, ମତ୍ସ୍ୟଜୀବୀଙ୍କ ପାଇଁ ନୂଆ ଜେଟି ନିର୍ମାଣ, ସଡ଼କ ଏବଂ ରେଳ ଯୋଗାଯୋଗ ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ତେବେ ଆଲୋଚିତ ପ୍ରସଙ୍ଗ ଉପରେ କେଉଁ ପଦକ୍ଷେପ ନିଆଯାଇଛି ସେନେଇ ରିପୋର୍ଟ ପ୍ରଦାନ କରିବାକୁ ପୂର୍ତ୍ତ ବିଭାଗ ପକ୍ଷରୁ ଜାତୀୟ ରାଜପଥ, ଓଡ଼ିଶାର ମୁଖ୍ୟଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ସମୀକ୍ଷା ବୈଠକରେ ମୁଖ୍ୟତଃ ଜମି ଅଧିଗ୍ରହଣକୁ ନେଇ ଆଲୋଚନା ହୋଇଥିବା ଜଣାପଡ଼ିଛି। ଗୋପାଳପୁର ବନ୍ଦର କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ ବନ୍ଦରର ବିକାଶ ପାଇଁ ପ୍ରାଥମିକ ପର୍ଯ୍ୟାୟରେ ମୋଟ ୧୨୦୦ ଏକର ଜମି ଅଧିଗ୍ରହଣର ଯୋଜନା ରହିଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ମାତ୍ର ୩୯୩ ଏକର ଜମି ଅଧିଗ୍ରହଣ ହୋଇପାରିଛି। ବର୍ତ୍ତମାନ ବନ୍ଦରର ବିକାଶ ଏବଂ ନୂଆ ଏଲଏନଜି ଟର୍ମିନାଲର ନିର୍ମାଣ ପାଇଁ ବଳକା ଜମି ଅଧିଗ୍ରହଣର ଅତ୍ୟନ୍ତ ଆବଶ୍ୟକତା ରହିଛି। ତେବେ ବନ୍ଦର କର୍ତ୍ତୃପକ୍ଷଙ୍କୁ ମିଳିବାକୁ ଥିବା ୮୦୦ ଏକର ଜମି ମଧ୍ୟରୁ ୧୧୯.୭୧୬ ଏକର ଜମି ସରକାରୀ ମାଲିକାନାରେ ଥିବା ବେଳେ ବଳକା ୬୨୦.୨୨୫ ଏକର ଜମି ଆଇଆରଇଏଲ ଇଣ୍ଡିଆ ଲିମିଟେଡ ପକ୍ଷରୁ ସରକାରଙ୍କୁ ଫେରସ୍ତ ହେବାକୁ ଥିବା ଜମି ବୋଲି ଜଣାପଡ଼ିଛି। ଲ୍ୟାଣ୍ଡ ଲିଜ ଏଗ୍ରିମେଣ୍ଟ ନିୟମାନୁଯାୟୀ ସରକାରୀ ମାଲିକାନାରେ ଥିବା ୧୧୯ ଏକର ଜମିକୁ ଯାଞ୍ଚ ପାଇଁ ଆଇନ ବିଭାଗକୁ ପଠାଯାଇଛି।

ଆଇନ ବିଭାଗର ସ୍ୱୀକୃତି ମିଳିଲେ ଏହା ଅର୍ଥ ବିଭାଗକୁ ପଠାଯିବ ଏବଂ ପରବର୍ତ୍ତୀ ସମୟରେ ଗୋପାଳପୁର ବନ୍ଦର କର୍ତ୍ତୃପକ୍ଷଙ୍କ ସହ ଡିଲ ସମ୍ପନ୍ନ ହେବ ବୋଲି ଜଣାପଡ଼ିଛି। ଅନ୍ୟପକ୍ଷରେ ଆଇଆରଇଏଲ କମ୍ପାନୀ ପକ୍ଷରୁ ସରକାରଙ୍କୁ କୁହାଯାଇଛି ଯେ କମ୍ପାନୀ ମାଲିକାନାରେ ଥିବା ୬୨୦.୨୨୫ ଏକର ଜମିରେ ଖଣି କାର୍ଯ୍ୟ ସରିଥିବା ବେଳେ ଜଙ୍ଗଲ କ୍ଲିୟରାନ୍ସ ପାଇଁ ବିଭାଗର ଅନୁମତିକୁ ଅପେକ୍ଷା କରାଯାଇଛି। ଅନୁମତି ମିଳିବା ପରେ ଏହାକୁ ସରକାରଙ୍କୁ ହସ୍ତାନ୍ତର କରାଯିବ। ସେହିପରି ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ସଚିବଙ୍କ ସୂଚନା ଅନୁଯାୟୀ ବନ୍ଦରର ପୂର୍ବ ଭାଗକୁ ୩୦ ମିଟର ପର୍ଯ୍ୟନ୍ତ ବୃଦ୍ଧି କରାଯିବ। ସେହିପରୁ ସୁରକ୍ଷା ଦୃଷ୍ଟିରୁ ମାଛଧରା ଡଙ୍ଗା, ବୋଟ, ଟ୍ରଲର ବନ୍ଦରର ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରୁଥିବାରୁ ଏହାକୁ ବନ୍ଦର ଅଞ୍ଚଳକୁ ନୋ ଫିଶିଂ ଜୋନ ଭାବେ ଘୋଷଣା କରିବାକୁ ନିଷ୍ପତ୍ତି ହୋଇଛି।