ଗୁଡ଼ ସାମାରିଟାନଙ୍କୁ ପୁରସ୍କୃତ କଲା ଜିଲ୍ଲା ପୁଲିସ

ଦେବଗଡ଼,ଏନ୍‌ଏନ୍‌ଏସ୍‌: ସଡ଼କ ଦୁର୍ଘଟଣାରେ ଗୁରୁତରଙ୍କୁ ତୁରନ୍ତ ଉଦ୍ଧାର କରିବା ସହ ଜୀବନ ବଞ୍ଚାଇ ଥିବା ଦେବଗଡ଼ ଜିଲ୍ଲାର ସମସ୍ତ ଥାନାଞ୍ଚଳର ୧୪ଜଣ ସ୍ୱେଛାସେବୀଙ୍କୁ ଜିଲ୍ଲା ପୁଲିସ ପକ୍ଷରୁ ଗୁଡ଼ ସାମାରିଟନ ଭାବେ ମାନପତ୍ର ଓ ନଗଦ ଅର୍ଥ ରାଶି ପ୍ରଦାନ କରାଯାଇଛି । ପୁରସ୍କୃତଙ୍କ ମଧ୍ୟରେ ଦେବଗଡ଼ ଥାନାଞ୍ଚଳର ବିଶ୍ୱନାଥ ସାହୁ, ଶ୍ୟାମ ମୁଖି, ଗଜରାଜ ଯାଦବ, ରିଆମାଳ ଥାନାଞ୍ଚଳର ବୈକୁଣ୍ଠ ଭାଇଁସା, ନିର୍ମଳ କୁମାର ଦାସ, କୁଣ୍ଢେଇଗୋଳା ଥାନାଞ୍ଚଳର କୃଷ୍ଣ ଚନ୍ଦ୍ର ଦେହୁରୀ, ମେଘନାଦ ବିଶ୍ୱାଳ, ରଞ୍ଜନ ପ୍ରଧାନ, ବାରକୋଟ ଥାନାଞ୍ଚଳର ସତ୍ୟ ନାରାୟଣ ମହାକୁଳ, ସନ୍ତୋଷ କୁମାର ମହାପାତ୍ର, ରାଜେଶ କୁମାର ପାଣି, ତପନ ମହନ୍ତ, ଲାଇମୁରା ଥାନାଞ୍ଚଳର ଟୁନା କାଲୋ ଓ ପାର୍ଥ ବାଣିଚୁଳ । ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ଏସପି ପ୍ରଦ୍ୟୁମ୍ନ କୁମାର ମିଶ୍ର ଏହି ପୁରସ୍କାର ପ୍ରଦାନ କରିଥିବାବେଳେ ଜିଲ୍ଲା ଆଞ୍ଚଳିକ ପରିବହନ ଅଧିକାରୀ କେଶବ ଚନ୍ଦ୍ର ନାୟକଙ୍କ ସମେତ ସମସ୍ତ ଥାନାଧିକାରୀ ଓ ଜିଲ୍ଲା ପୁଲିସ ମୁଖ୍ୟାଳୟର ବହୁ ଅଧିକାରୀ ଉପସ୍ଥିତ ଥିଲେ । ପୁରସ୍କାର ଗ୍ରହଣ ପରେ ରାଜ୍ୟ ସରକାରଙ୍କ ଏଭଳି ପ୍ରୟାସକୁ ପ୍ରଶଂସା କରିବା ସହ ଆଗାମୀ ଦିନରେ ଜନସାଧାରଣ ଅଧିକ ଉତ୍ସାହିତ ହୋଇ ସଡ଼କ ସୁରକ୍ଷା ଭଳି କାର୍ଯ୍ୟକ୍ରମରେ ନିଜକୁ ନିୟୋଜିତ କରିବେ ବୋଲି ପୁରସ୍କୃତ ସ୍ୱେଛାସେବୀ ପ୍ରକାଶ କରିଛନ୍ତି ।