ସରକାରୀ କର୍ମଚାରୀଙ୍କ ପାଇଁ ଖୁସିର ଖବର

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟର ସମସ୍ତ ସରକାରୀ କର୍ମଚାରୀମାନଙ୍କ ବକେୟା ରହିଥିବା ୧୦ ପ୍ରତିଶତ ଦରମାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଅନୁମୋଦନ କରିଛନ୍ତି। ଏହାସହିତ ସମସ୍ତ ସରକାରୀ କର୍ମଚାରୀମାନଙ୍କ ଲାଗି ୫ ପ୍ରତିଶତ ମହଙ୍ଗା ଭତ୍ତାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଏହି ମହଙ୍ଗା ଭତ୍ତା ଜାନୁଆରୀ ୨୦୨୦ରୁ ଲାଗୁ କରାଯାଇ ପ୍ରଦାନ କରାଯିବାକୁ ନିଷ୍ପତ୍ତି ହୋଇଛି।

ସପ୍ତମ ବେତନ କମିଶନ ଗତ ଜାନୁଆରୀ ୨୦୧୬ରୁ ଲାଗୁ ହୋଇଥିବାବେଳେ ବକେୟା ୧୦ ପ୍ରତିଶତ ଦରମା କର୍ମଚାରୀଙ୍କୁ ଦିଆଯିବା ଲାଗି ଗୁରୁବାର ମୁଖ୍ୟମନ୍ତ୍ରୀ ଘୋଷଣା ମଧ୍ୟ କରିଥିଲେ। କର୍ମଚାରୀମାନଙ୍କ ଲାଗି ସପ୍ତମ ବେତନ କମିଶନ ୨୦୧୬ରୁ ୨୦୧୭ ଅଗଷ୍ଟ ୩୧ ପର୍ଯ୍ୟନ୍ତ ସଂଶୋଧିତ ସ୍କେଲ ଅନୁଯାୟୀ ୨୦୧୭ ବେତନ ନିୟମ ଅନୁସାରେ ଏହି ବେତନ ପ୍ରଦାନ କରିବାକୁ ନିଷ୍ପତ୍ତି ହୋଇଛି।

୨୦୧୭ ସେପ୍ଟେମ୍ବର ୭ରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ହୋଇଥିବା ପାରାଗ୍ରାଫ-୧ ବିଜ୍ଞପ୍ତି ଅନୁଯାୟୀ ସମସ୍ତ ରେଗୁଲାର ସରକାରୀ କର୍ମଚାରୀ ଏହି ସୁବିଧା ପାଇପାରିବେ। ଏହା ରାଜ୍ୟ ଅର୍ଥ ବିଭାଗର ରିଜୋଲ୍ୟୁସନ୍ ନମ୍ପର ୨୬୩୪୭/ଏଫ୍ ବିଜ୍ଞପ୍ତିରେ ପ୍ରକାଶିତ ହୋଇଥିଲା। ଶୁକ୍ରବାର ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପ୍ରାପ୍ତ ହୋଇଥିବା ଏହି ବେତନ ଦ୍ୱାରା ରାଜ୍ୟର ପ୍ରାୟ ସାଢ଼େ ୩ଲକ୍ଷ ସରକାରୀ କର୍ମଚାରୀ ଉପକୃତ ହୋଇପାରିବେ। ଏପରିକି ସମସ୍ତ ପେନସନଧାରୀଙ୍କ ୧୦୦ ପ୍ରତିଶତ ବକେୟା ପୈଠ କରାଯିବା ନେଇ ରାଜ୍ୟ ସରକାର ପୂର୍ବରୁ ମଧ୍ୟ ଘୋଷଣା କରିଥିଲେ।