ନନ୍ଦନକାନନ ପାଇଁ ଖୁସି ଖବର

  • ଭୁବନେଶ୍ୱର: ଦୀର୍ଘଦିନ ବନ୍ଦ ରହିବା ପରେ ନନ୍ଦନକାନନ ଖୋଲିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। କରୋନା କଟକଣା ପାଇଁ ଚଳିତ ବର୍ଷ ମେ’ ୧ ତାରିଖଠାରୁ ନନ୍ଦନକାନନ ଉଭୟ ପ୍ରାଣୀ ଉଦ୍ୟାନ ଓ ଉଦ୍ଭିଦ ଉଦ୍ୟାନକୁ ବନ୍ଦ କରିଦିଆଯାଇଛି। ଜୀବଜନ୍ତୁମାନଙ୍କୁ କରୋନା ସଂକ୍ରମଣ ଭୟ ଥିବାରୁ ନୂଆ ଜୀବଜନ୍ତୁ ଅଦଳବଦଳ ପ୍ରକ୍ରିୟା ମଧ୍ୟ ବନ୍ଦ କରିଦିଆଯାଇଥିଲା ।
    ନନ୍ଦନକାନନକୁ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ନନ୍ଦନକାନନ କର୍ତ୍ତୃପକ୍ଷ କିଛି ଜୀବଜନ୍ତୁ ଆଣିବା ପାଇଁ ପ୍ରୟାସ ଆରମ୍ଭ କରିବା ସହିତ ସଫାରୀ, ବହୁତଳ ପାର୍କିଂ ଓ ଶିଶୁରେଳଗାଡି ଚଲାଇବା ପାଇଁ ପ୍ରସ୍ଥୁତି ଆରମ୍ଭ କରିଛନ୍ତି। ସେଥିମଧ୍ୟରୁ ଅଗଷ୍ଟ ମାସରେ ଜୟପୁର ଓ ଜୋଧପୁର ଚିଡିଆଖାନାରୁ ଜୀବଜନ୍ତୁ ଆଣିବା ପାଇଁ ନୂତନ ଉପନିର୍ଦ୍ଦେଶକ ସୂଚନା ଦେଇଛନ୍ତି। ନନ୍ଦନକାନନ ଅଗଷ୍ଟ ମାସରେ ୪ ପ୍ରଜାତିର ୮ ଜୀବଜନ୍ତୁ (କଲରାପତରିଆ ବାଘ, ଧୁସର ଗଧିଆ, ଘଡିଆଳ କୁମ୍ଭୀର ଓ ଚିଙ୍କାରା ହରିଣ) ଆଣିବା ପାଇଁ ପ୍ରସ୍ତୁତି ଆରମ୍ଭ କରୁଛି। କେନ୍ଦ୍ରୀୟ ଚିଡିଆଖାନର ନିର୍ଦ୍ଦେଶ ମିଳିବା ପରେ ଏହି ସବୁ ଜନ୍ତୁମାନଙ୍କୁ ନନ୍ଦନକାନନ ଅଣାଯିବ। ତେବେ ସିଙ୍ଗାପୁର, ଥାଇଲାଣ୍ଡ ଓ ଆଫ୍ରିକା ଚିଡିଆଖାନାରୁ ଆଫ୍ରିକାନ ଚିତା, ଗଣ୍ଡା ଓ ଜେବ୍ରା ଆଣିବା ପାଇଁ ଯୋଗାଯୋଗ ଆରମ୍ଭ ହୋଇଛି। ଗତ କିଛିବର୍ଷ ହେବ ନନ୍ଦନକାନନରୁ ଜେବ୍ରା ଓ ଗଣ୍ଡା ଏଇ ଦୁଇ ପ୍ରଜାତିର ପ୍ରାଣୀ ଲୋପ ପାଇଛନ୍ତି। ତା’ ସହିତ ଆଫ୍ରିକୀୟ ଚିତା ମଧ୍ୟ ଏଠାରେ ଦେଖିବାକୁ ମିଳିଲେ ପର୍ଯ୍ୟଟକ ବେଶି ଖୁସି ହେବେ ବୋଲି ନୂଆ ଉପନିର୍ଦ୍ଦେଶକ କହିଛନ୍ତି ।
    ଶିଶୁ ରେଳଗାଡି ଚାଲିବା ବିଳମ୍ବ ହୋଇପାରେ। ପ୍ରାୟ ୭ ବର୍ଷ ପରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଶିଶୁ ରେଳଗାଡି ଚାଲିବା ପାଇଁ ପଥ ପରିସ୍କାର ହୋଇଥିଲେ ମଧ୍ୟ ନନ୍ଦନକାନନ ଖୋଳିବା ପରେ ମଧ୍ୟ ଚାଲିବାର ପ୍ରାୟ ତିନିମାସ ବିଳମ୍ବ ହେବ ହେବ। ବର୍ତ୍ତମାନ ଏହାର ଟ୍ରାଏଲ ଆରମ୍ଭ ହୋଇଛି।