ବିଦ୍ୟୁତ ଶକ୍ତି କ୍ଷେତ୍ରରେ ସ୍ୱର୍ଣ୍ଣିମ ଅଧ୍ୟାୟର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ଜିଲ୍ଲା By Nitidin On Aug 30, 2021 Share ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଶକ୍ତି କ୍ଷେତ୍ରରେ ଓଡ଼ିଶା ଆଜି ଏକ ସ୍ୱର୍ଣ୍ଣିମ ଅଧ୍ୟାୟ ଆରମ୍ଭ କରିଛି। ଇବ୍ ଥର୍ମାଲ ବନହରପାଲିସ୍ଥିତ ଓଡ଼ିଶା ତାପଜ ବିଦ୍ୟୁତ୍ ଉତ୍ପାଦନ ନିଗମ (ଓପିଜିସି)କୁ ସୁନ୍ଦରଗଡ଼ ଜିଲ୍ଲା ମନୋହରପୁର କୋଇଲା ଖଣି ପର୍ଯ୍ୟନ୍ତ ନୂତନ ଭାବେ ନିର୍ମିତ ଏମଜିଆର ରେଳଲାଇନକୁ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫ୍ରେନ୍ସ ମାଧ୍ୟମରେ ଲୋକାର୍ପିତ କରିଛନ୍ତି। ମନୋହରପୁର କୋଇଲା ଲୋଡିଂ ପ୍ଲାଟଫର୍ମରେ ଆଜି ଆୟୋଜିତ ସମାରୋହରେ ମୁଖ୍ୟଅତିଥି ଭାବେ ଓଡ଼ିଶାର ଶକ୍ତିମନ୍ତ୍ରୀ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ରଙ୍କ ସମେତ ପୂର୍ବତନ କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜୁଏଲ ଓରାମ, ବରଗଡ଼ ସାଂସଦ ସୁରେଶ ପୂଜାରୀ, ସୁନ୍ଦରଗଡ଼ ସଦର ବିଧାୟକ କୁଶୁମ ଟେଟେ, ପୂର୍ବତନ ବିଧାୟକ ଯୋଗେଶ ସିଂହ, ତଳସରା ବିଧାୟକ ଭବାନୀ ଶଙ୍କର ଭୋଇ, ହେମଗିର ବ୍ଲକ ଅଧ୍ୟକ୍ଷା ସୁଧାରାଣୀ ରାଉଡ଼ିଆ, ଓପିଜିସିର ପରିଚାଳନା ନିର୍ଦ୍ଦେଶକ ପ୍ରଶାନ୍ତ ମହାପାତ୍ର ଓ ଓପିଜିସିର ଓସିପିଏଲ ମୁଖ୍ୟ ନିର୍ବାହୀ ସାରିପୁତ ମିଶ୍ର ପ୍ରମୁଖ ଉପସ୍ଥିତ ରହିଥିଲେ। ଉପସ୍ଥିତ ଅତିଥିବୃନ୍ଦ ସବୁଜ ପତାକା ଦେଖାଇ ଓଡ଼ିଶା କୋଲ୍ ଆଣ୍ଡ ପାୱାର ଲିମିଟେଡ୍(ଓସିପିଏଲ୍)ର ମନୋହରପୁର କୋଇଲା ଖଣିରୁ ଏହି ଏମଜିଆର୍ ଉପରେ କୋଇଲା ପରିବହନର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ଶକ୍ତିମନ୍ତ୍ରୀ କ୍ୟାପଟେନ ଶ୍ରୀ ମିଶ୍ର କହିଛନ୍ତି ଯେ, ଆଜିଠାରୁ ଓଡ଼ିଶାର ଶକ୍ତି କ୍ଷେତ୍ରରେ ସ୍ୱର୍ଣ୍ଣମ ଅଧ୍ୟାୟ ଆରମ୍ଭ ହେଲା । ଆମର ଉତ୍ପାଦିତ କୋଇଲାରୁ ବିଜୁଳି ଉତ୍ପାଦନ କରି ରାଜ୍ୟର କୋଣ ଅନୁକୋଣକୁ ପଠାଯିବ। ଫଳରେ ଏକ ଦୁର୍ଗମ ଅଞ୍ଚଳର ସାଧାରଣ ଲୋକଟିଏ ମଧ୍ୟ ବିଦ୍ୟୁତ ସେବାର ସୁବିଧା ପାଇପାରିବ ବୋଲି ଶ୍ରୀ ମିଶ୍ର କହିଛନ୍ତି। ପ୍ରକଶଯୋଗ୍ୟ, ଓପିଜିସିର ୟୁନିଟ-୧ ଓ ୟୁନିଟ-୨ରୁ ଯଥାକ୍ରମେ ୧୯୯୪ ଓ ୧୯୯୬ ମସିହାରେ ୨୧୦ ମେଗାୱାଟ ଲେଖାଏଁ ସମୁଦାୟ ୪୨୦ ମେଗାୱାଟ ବିଦ୍ୟୁତ୍ ଉତ୍ପାଦନ ଆରମ୍ଭ ହୋଇଥିଲା। ସେହିପରି ୨୦୧୯ ମାର୍ଚ୍ଚ ମାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓପିଜିସିରେ ଯୋଗଦେଇ ୧୩୨୦ ମେଗାୱାଟ ଉତ୍ପାଦନ କ୍ଷମତା ବିଶିଷ୍ଟ ନୂତନ ୩ ଓ ୪ ନମ୍ବର ସୁପର କ୍ରିଟିକାଲ୍ ୨ ୟୁନିଟକୁ ଉଦଘାଟନ କରିଥିଲେ। ବର୍ତ୍ତମାନ ଓପିଜିସିର ସମୁଦାୟ ବିଦ୍ୟୁତ୍ ଉତ୍ପାଦନ କ୍ଷମତା ମୋଟ ୧୭୪୦ ମେଗାୱାଟ ଜାରି ରହିଛି। ଓପିଜିସିର ୧ ଓ ୨ ନମ୍ବର ୟୁନିଟ ସହ ଏମଜିଆର ରେଳ ଲାଇନ ବ୍ୟବସ୍ଥା ପୂର୍ବରୁ ମଧ୍ୟ ରହିଛି। ଏଠାକୁ ଏମସିଏଲ ଖଣି ଅଞ୍ଚଳରୁ କୋଇଲା ଯୋଗାଣ ଚାଲିଛି। ଓପିଜିସି କୋଇଲା ଆବଶ୍ୟକତାକୁ ପୂରଣ କରିବା ପାଇଁ ଭାରତ ସରକାର ସୁନ୍ଦରଗଡ଼ ଜିଲ୍ଲାର ମନୋହରପୁରଠାରେ ଏକ କୋଇଲା ବ୍ଲକ ଆବଣ୍ଟନ କରିଛନ୍ତି। ୨୦୧୫ରେ ଓସିପିଏଲକୁ ମନୋହରପୁର କୋଇଲା ଖଣି ପାଇଁ ମଞ୍ଜୁର ହେବା ପରେ ୨୦୨୧ ମସିହା ଜୁଲାଇ ମାସରେ ମନୋହରପୁର ପର୍ଯ୍ୟନ୍ତ ରେଳ ଲାଇନ୍ କାର୍ଯ୍ୟ ସମାପ୍ତ ହୋଇଥିଲା। ଏହି ଖଣି ବର୍ତ୍ତମାନ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇଛି। ଏହି ରେଳ ଲାଇନ ଉଭୟ ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଜିଲ୍ଲା ଅଂଚଳକୁ ସଂଯୋଗ କରିଛି। ଦୀର୍ଘ ୪୭.୩ କିଲୋମିଟର ଦୂରତା ପର୍ଯ୍ୟନ୍ତ ରହିଥିବା ଏହି ରେଳପଥ ମଧ୍ୟରେ ହାୱଡ଼ା ମୁମ୍ବାଇ ରେଳପଥ, ଏନଟିପିସି ରେଳପଥ ଓ ଏନଏଚ୍ ୪୯ର ଉପର ଦେଇ ଗୋଟିଏ ଲେଖାଏଁ ଓଭର ବ୍ରିଜ ସହିତ ସମୁଦାୟ ୧୨୩ଟି ବ୍ରିଜ ରହିଥିବା ଓପିଜିସି କର୍ତୃପକ୍ଷ ପ୍ରକଶ କରିଛନ୍ତି। Share