ମା’ଙ୍କ ଠାରେ ଲାଗି ହେବ ସୁନା ଚମ୍ପାହାର

ଓଡିଶାର ପ୍ରଥମ ସୁନେଲି ଦୁର୍ଗାମେଢ଼ ମଙ୍ଗଳାବାଗ

କଟକ,ଏନ୍ଏନ୍ଏସ୍: କଟକ ସହରରେ ଥିବା ପୂଜାମଣ୍ଡପ ମଧ୍ୟରେ ମଙ୍ଗଳାବାଗ ପୂଜାମଣ୍ଡପ ହେଉଛି ବହୁ ପୁରାତନ। ଏହାର ଏକ ସ୍ୱତନ୍ତ୍ର ପରିଚୟ ରହିଛି। ମଙ୍ଗଳାବାଗ ପୂଜା କମିଟି କର୍ମକର୍ତ୍ତାଙ୍କ ମଧ୍ୟରେ ଏହି ପୂଜାମଣ୍ଡପରେ ଶାରଦୀୟ ପୂଜା ଅବସରରେ ପାରମ୍ପରିକ ରୀତିରେ କରାଯାଉଛି ମା’ ଦୁର୍ଗାଙ୍କ ଆରାଧନା। ଦୁର୍ଗାପୂଜାକୁ ଆଡ଼ମ୍ବର ସହକାରେ ପାଳନ କରାଯିବା ସହ ସହରରେ ପ୍ରଥମ କରି ସୁନେଲି ମେଢ଼ ତିଆରି କରି ଏହି କମିଟି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ଚଳିତ ବର୍ଷ ମା’ଙ୍କ ନିକଟରେ ସୁନା ଚମ୍ପାହାର ଲାଗି କରାଯିବ।

୧୮୮୧ ପାଣ୍ଡବ ଦାସ ଚଉତରାଠାରେ ଗ୍ରାମବାସୀମାନେ ହର-ପାର୍ବତୀ ମୂର୍ତ୍ତି ନିର୍ମାଣ କରିଥିଲେ। ସେହିଦିନଠାରୁ ୧୯୪୭ ମସିହା ପର୍ଯ୍ୟନ୍ତ ହର-ପାର୍ବତୀ ମୂର୍ତ୍ତି ପୂଜା ପାଉଥିଲେ। ଏହାପରେ ୧୯୪୮ରେ ସମ୍ପାଦକ ଏରଫାନ ମୁକ୍ସି, ପ୍ରାଣକୃଷ୍ଣ ସାହୁ ଓ ହାଡ଼ିବନ୍ଧୁ ଦାସଙ୍କ ନେତୃତ୍ୱରେ ପ୍ରଥମେ ଦୁର୍ଗାପୂଜା ଆରମ୍ଭ ହେଲା। ୧୯୫୦ ମସିହାରେ ଓଡ଼ିଶାର ପ୍ରଥମ ସୁନେଲି ମେଢ଼ ମଙ୍ଗଳାବାଗ ହିଁ ତିଆରି କରି ଲୋକଲୋଚନକୁ ଆସିଥିଲା।

ଏହାପରେ କମିଟିର କର୍ମକର୍ତ୍ତାମାନେ ପୂଜାକୁ ସରସ ସୁନ୍ଦର କରିବା ପାଇଁ ପ୍ରଚେଷ୍ଟା ଜାରି ରଖିଥିଲେ। ସୁନେଲି ମେଢ଼ ପରେ ଏହି ପୂଜା କମିଟି ୨୦୧୫ ମସିହାରେ ଚାନ୍ଦି ମେଢ଼ ନିର୍ମାଣ କରିଥିଲା। ଏହା ପୂର୍ବରୁ ୨୦୧୦ରେ ମା’ ଦୁର୍ଗା ଓ ପାଶ୍ୱର୍ ଦେବାଦେବୀଙ୍କ ସୁନା ଅଳଙ୍କାର ନିର୍ମାଣ ହୋଇ ସାରିଥିଲା। ସାଢ଼େ ୩ କ୍ୱିଣ୍ଟ।।ଲ ଚାନ୍ଦିରେ ମେଢ଼ ନିର୍ମାଣ କରାଯାଇଥିବାବେଳେ ସାଢ଼େ ୬ କିଲୋ ସୁନାରେ ମୁକୁଟ ଓ ଗହଣା ନିର୍ମାଣ ହୋଇଛି।

ଏଥର ମା’ଙ୍କ ନିକଟରେ ସୁନା ଚମ୍ପାହାର ଲାଗି ହେବ। ଏହି ପୂଜା କମିଟି ପକ୍ଷରୁ ପ୍ରଥମ କରି ୧୯୮୩ରେ ରାବଣ ପୋଡ଼ି ଉତ୍ସବ ପାଳନ କରିଥିଲା। ପୁନଶ୍ଚ ପ୍ରଥମ ହାଇଡ୍ରୋଲିକ୍ ଚେସିସ୍ ନିର୍ମାଣ କରି ଭସାଣି ଶୋଭାଯାତ୍ରାରେ ସମସ୍ତଙ୍କ ନଜରକୁ ଆସିପାରିଥିଲା।