ଗୋଲଡେନ ବାବାକୁ ନିସ୍ତାର ନାହିଁ : ଠକେଇ ମାମଲାର ତଦନ୍ତ କରିବ ଇଡି

ଭୁବନେଶ୍ୱର,ଏନ୍ଏନ୍ଏସ୍ : ଗୋଲଡେନ ବାବା ଓରଫ ଜ୍ୟୋତିରଞ୍ଜନ ବେଉରା ମାମଲାର ତଦନ୍ତ କରିବ ଇଡି। ଗୋଲଡେନ ବାବାଙ୍କ ଅମାପ ସମ୍ପତିର ଇଡି କରିବ ଖୋଳତାଡ଼। ଅମାପ ସମ୍ପତି ଓ ଏହା ପଛରେ ଅପରାଧିକ ଦିଗ କଣ ରହିଛି ତାହାକୁ ଖୋଜିବ ଇଡି। ଏହା ପୂର୍ବରୁ ଗୋଲଡେନ ବାବାକୁ ଗିରଫ କରିଥିଲା ଚନ୍ଦ୍ରଶେଖରପୁର ପୁଲିସ। ଏକ ଠକେଇ ମାମଲାରେ ଗୋଲଡେନ ବାବାକୁ ପ୍ରଥମ ଥର ପାଇଁ ଗିରଫ କରାଯାଇଥିଲା। କିନ୍ତୁ ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ଭଳି ଗୋଲଡେନ ବାବାର ଗୋଟିଏ ପରେ ଗୋଟିଏ ଅପରାଧିକ ପେଡ଼ି ଖୋଲିଥିଲା।

ପୂର୍ବରୁ କ୍ରାଇମବ୍ରାଞ୍ଚ ଏହି ମାମଲାର ଖୋଳତାଡ଼ କରୁଥିଲା। ଆଉ ଏହି ସମୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଥିଲା। କେବଳ ଓଡ଼ିଶାରେ ନୁହେଁ ଦିଲ୍ଲୀ, ଥାନେ ଓ ମୁମ୍ବାଇ ଭଳି ହାଇଟେକ ସିଟିରେ ମଧ୍ୟରେ ନିଜ ସାମ୍ରାଜ୍ୟ ବିସ୍ତାର କରିଥିଲା ଗୋଲଡେନ ବାବା। ସେଠାରେ ମଧ୍ୟ ବ୍ୟବସାୟୀମାନଙ୍କୁ କୋଟି କୋଟି ଟଙ୍କାର ଚୂନ ଲଗାଇଥିଲା ଏହି ‘ଫ୍ରଡ ମାଷ୍ଟର’। ପ୍ରାୟ ୩୦୦ କୋଟି ଟଙ୍କା ଫାଇନାନ୍‌ସ କରିବାର ଲୋଭ ଦେଖାଇ ଠକେଇର ନକ୍ସା ପ୍ରସ୍ତୁତ କରିଥିବା ସନ୍ଦେହ କରାଯାଉଥିଲା।