ରଥ ଉପରେ ଶ୍ରୀଜିଉଙ୍କ ମନଲୋଭା ‘ସୁନାବେଶ’ ଆଜି, ଦର୍ଶନ ପାଇଁ ଲକ୍ଷାଧିକ ଭକ୍ତଙ୍କ ଅପେକ୍ଷା

ପୁରୀ,ଏନ୍ଏନ୍ଏସ୍: ରଥ ଉପରେ ଶ୍ରୀଜିଉମାନଙ୍କର ଆଜି ସୁନାବେଶ ହେବ । ମହଣ ମହଣ ସୁନା ଅଳଙ୍କାରେ ପ୍ରଭୁ ଜଗନ୍ନାଥ, ଦେବୀ ସୁଭଦ୍ରା ଓ ଭାଇ ଶ୍ରୀବଳଭଦ୍ର ସଜେଇ ହେବ । ଅପରାହ୍ନ ପ୍ରାୟ ୩ଟାରେ ମହାପ୍ରଙ୍କ ସୁନାବେଶ ଆରମ୍ଭ ହେବ । ସନ୍ଧ୍ୟା ୬ଟା ବେଳକୁ ସାଜସଜ୍ଜା କାମ ସରିଯାଇଥିବ ବୋଲି ଆଶା କରାଯାଉଛି । ମହାପ୍ରଭୁଙ୍କର ଏହି ମନଲୋଭା ବେଶକୁ ଦେଖିବା ପାଇଁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି । ସମସ୍ତେ ଏହି ବେଶ ଦେଖିବା ପାଇଁ ଅପେକ୍ଷା କରିଛନ୍ତି ।

ମହାପ୍ରଭୁଙ୍କ ଏହି ଅପୂର୍ବ ସୁନାବେଶ ପାଇଁ ରତ୍ନଭଣ୍ଡାରରୁ ରଥ ଉପରକୁ ସୁନାଯିବ । କିରିଟି, ଶ୍ରୀପୟର, ଶ୍ରୀଭୂଜ, ଚନ୍ଦ୍ର-ସୂର୍ଯ୍ୟ, ଚକ୍ର ଆଦି ଆଭୂଷଣ ରହିଛି । ଭକ୍ତମାନେ ସୁନାବେଶକୁ ରାତି ୧୦ଟା ପର୍ଯ୍ୟନ୍ତ ଦେଖିପାରିବେ । ଏହାପରେ ବେଶଓଲାଗି ହେବ । ସୂଚନାଯୋଗ୍ୟ, ଶ୍ରୀଜିଉମାନେ ମନ୍ଦିର ଭିତରେ ଦୋଳପୂର୍ଣ୍ଣିମା, କାର୍ତ୍ତିକ ପୂର୍ଣ୍ଣିମା, ଦଶହରା ଦିନ ମଧ୍ୟ ସୁନାବେଶ ହୋଇଥାନ୍ତି । କିନ୍ତୁ ରଥ ଉପରେ ସୁନାବେଶ ସ୍ୱତନ୍ତ୍ର, ଯାହାକୁ ଅଧିକ ଭକ୍ତ ଦେଖିଥାନ୍ତି ।

ଗତକାଲି ଆଷାଢ଼ ଶୁକ୍ଲପକ୍ଷ ଦଶମୀ ତିଥିରେ ଶ୍ରୀଜିଉମାନେ ୯ ଦିନିଆ ରଥଯାତ୍ରା ଶେଷ କରି ବାହୁଡ଼ି ଆସିଥିଲେ । ଲକ୍ଷାଧିକ ଭକ୍ତମାନେ ତିନି ରଥକୁ ନିର୍ଦ୍ଧାରିତ ସମୟ ପୂର୍ବରୁ ସିଂହଦ୍ୱାର ସମ୍ମୁଖକୁ ଆଣିଥିଲେ । ରଥଯାତ୍ରା ଭଳି ବାହୁଡ଼ାରେ ମଧ୍ୟ ନୀତିକାନ୍ତି ସଅଳ ହୋଇଥିଲା । ନିର୍ଦ୍ଧାରିତ ସମୟ ଠାରୁ ଅଢ଼େଇ ଘଣ୍ଟା ଆଗରୁ ରଥଗୁଡ଼ିକ ଶ୍ରୀମନ୍ଦିର ଅଭିମୁଖେ ଗଡ଼ିଥିଲା ।