୩୦ଭରି ସୁନା ଜବତ ସହ ଆସାମୀ ଗିରଫ

ପାରଳାଖେମୁଣ୍ଡି, ୨୪ା୮/ଏନ୍ଏନ୍ଏସ୍ : ପାରଳାଖେମୁଣ୍ଡି ଆଦର୍ଶ ଥାନା ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ୩୦ଭରି ସୁନା ଚୋରୀ କରିଥିବା ଜଣେ ଆସାମୀଙ୍କୁ ଗିରଫ କରାଯାଇଥିବାର ସୂଚନା ମିଳିଛି । ଘଟଣାରୁ ପ୍ରକାଶ ଯେ ଗତ ୨୧ତାରିଖ ଦିନ ସହରର ରେଖନା ସାହି ସ୍ଥିତ ପ୍ରମୋଦ କୁମାର ପଣ୍ଡାଙ୍କ ବାସ ଭବନରୁ ଏହି ଚୋରୀ ହୋଇଥିଲା । ସେଠାରୁ ଦୁଇଗୋଟି ନେକ୍ଲେସ୍, ଗୋଟିଏ ମଙ୍ଗଳ ସୂତ୍ର, ୪ଗୋଟି ଚେନ୍, ଗୋଟିଏ କଳାମାଳି, ୧୦ଗୋଟି ଚୁଡି, ୧୬ଟି କାନ ଝୁମ୍ପି, ୧୪ଗଟି ମୁଦି ଏବଂ ଦୁଇଟି ଲକେଟ ଯାହାର ଆନୁମାନିକ ଓଜନ ୩୦ଭରି ଏବଂ ମୂଲ୍ୟ ପ୍ରାୟ ୧୨ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି । ସେହିପରି ଚୋରୀ କରିବାପାଇଁ ବ୍ୟବହାର ହୋଇଥିବା କଟର ମେସିନ, ସ୍କୃଡ୍ରାଇଭର, ପଲସର ମୋଟର ସାଇକେଲ ମଧ୍ୟ ପୁଲିସ ଦ୍ୱାରା ଜବତ କରାଯାଇଛି । ଅଭିଯୁକ୍ତ ଜଣକ ଚିନ୍ମୟ ମିଶ୍ର ଏବଂ ସେ ଚୋରୀଯାଇଥିବା ବ୍ୟକ୍ତିଙ୍କର ପୁତୁରା ହେବେ ବୋଲି ଜଣାପଡିଛି । ସେ ବ୍ରହ୍ମପୁର ଯିବାପାଇଁ ପାରଳାଖେମୁଣ୍ଡି ସ୍ଥିତ ପୁଲିସ ଷ୍ଟେସନ ଛକ ଠାରେ ଅପେକ୍ଷାରତ ଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ପୋଲିସ ତାଙ୍କୁ କାବୁ କରି ନେଇଥିଲା । ଏ ସମ୍ପର୍କରେ ପାରଳାଖେମୁଣ୍ଡି ଥାନାରେ ୧୬୦/୧୯ରେ ଏକ ମାମଲା ରୁଜୁ ହୋଇଥିବାବେଳେ ଏହି ସଫଳତା ପାଇଁ ତଦନ୍ତକାରୀ ଅଧିକାରୀ ଏସ୍.ଆଇ. ଶରତ ଚନ୍ଦ୍ର ରାୟଙ୍କୁ ସମସ୍ତ ଶ୍ରେୟ ଦିଆଯାଇଥିବା ଜଣାପଡିଛି । ଏହି ଖବରଦାତା ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଜିଲା ଆରକ୍ଷୀ ଅଧିକ୍ଷକ ସାରା ଶର୍ମା, ଏସ୍ଡିପିଓ ଠାକୁର ପ୍ରସାଦ ପାତ୍ର, ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁ, ଏସ୍ଆଇ ଶରତ ଚନ୍ଦ୍ର ରାୟ ପ୍ରମୁଖ ଉପସ୍ଥିତଥିଲେ ।