ଜ୍ଞାନେଶ୍ୱରୀ ଏକ୍ସପ୍ରେସରୁ ସୁନା ଜବତ ଘଟଣାରେ ଦୁଇ ଗିରଫ

ରାଉରକେଲା,ଏନ୍ଏନ୍ଏସ୍: ହାୱଡା-ମୁମ୍ବାଇ(୧୨୧୦୨) ଜ୍ଞାନେଶ୍ବରୀ ଏକ୍ସପ୍ରେସ୍‌ରୁ ଗୁରୁବାର ୧୧ କେଜି ସୁନା ମୁମ୍ବାଇ ଚାଲାଣ ହେଉଥିବାବେଳେ ଧରାପଡ଼ିଥିଲା। ତେବେ ଏଥିରେ ୧୧୦ ଖଣ୍ଡ ସୁନା ବିସ୍କୁଟ ଜବତ ହୋଇଛି, ଯାହାର ମୂଲ୍ୟ ୪କୋଟି ଟଙ୍କା ହେବ ବୋଲି ଆକଳନ କରାଯାଉଛି। ତେବେ ଟ୍ରେନରୁ ଏତେ ପରିମାଣର ସୁନା ଜବତ ହେବା ଓଡ଼ିଶାରେ ପ୍ରଥମ। ଏ ନେଇ ପୁଲସ ଅଟକ ରଖିଥିବା ଦୁଇ ସୁନା ବ୍ୟବସାୟୀ ଧନରାଜ ମହାଦେବ ଯାଦବ ଓ ରାହୁଲ ଆର୍ୟ୍ୟଙ୍କୁ ଗିରଫ କରିଛି।

ସୂଚନା ଅନୁସାରେ କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ ଗୁଇନ୍ଦା ବିଭାଗର ଏକ ସ୍ବତନ୍ତ୍ର ଟିମ୍‌ ଓ ଆର୍‌ପିଏଫ୍‌ ମିଳିତ ଭାବେ ଗତକାଲି ଭୋର ୫ଟାରେ ରାଜଗାଙ୍ଗପୁର ଷ୍ଟେସନ ନିକଟରେ ଟ୍ରେନ୍‌ର ବି-୩ କୋଚ୍‌ରେ ଚଢ଼ଉ କରିଥିଲା। ସେମାନେ କୋଚ୍‌ର ଏକ ସିଟ୍‌ ତଳେ ଥିବା ଦୁଇଟି ଏୟାର ବ୍ୟାଗକୁ ଯାଞ୍ଚ କରିଥିଲେ।

ବ୍ୟାଗ୍‌ ଭିତରେ ୧୧୦ ଖଣ୍ଡ ସୁନା ବିସ୍କୁଟ ଥିବା ଦେଖିବା ପରେ ସେମାନେ ଉକ୍ତ ସିଟରେ ବସିଥିବା ଦୁଇ ବ୍ୟବସାୟୀ ଧନରାଜ ମହାଦେବ ଯାଦବ ଓ ରାହୁଲ ଆର୍ୟ୍ୟଙ୍କୁ ଏହାର କାଗଜପତ୍ର ମାଗିଥିଲେ। କିନ୍ତୁ ଦୁଇ ବ୍ୟବସାୟୀ କୌଣସି ସନ୍ତୋଷଜନକ ଉତ୍ତର ଦେଇପାରି ନଥିଲେ। ପରେ ସୁନା ଭର୍ତ୍ତି ବ୍ୟାଗ୍‌ ଦୁଇଟିକୁ ଜବତ କରିବା ସହ ଦୁଇ ବ୍ୟବସାୟୀଙ୍କୁ ଧରି ଭୁବନେଶ୍ୱର ନେଇଥିଲେ। ତେବେ ଆଜି ସେମାନେ ହିଁ ଏଥିରେ ସମ୍ପୃକ୍ତ ଥିବା ଜଣାପଡ଼ିବା ପରେ ତାଙ୍କୁ ଗିରଫ କରାଯାଇଛି।