୫୦ ହଜାର ପାର କରିପାରେ ସୁନା ଦର

ନୂଆଦିଲ୍ଲୀ,ଏଜେନ୍ସି: ଦେଶରେ କରୋନା ମହାମାରୀର ଦ୍ୱିତୀୟ ଲହରୀ ତୀବ୍ର ଗତିରେ ବ୍ୟାପିବା ଫଳରେ ସୁନା ଓ ରୁପା ପୁଣି ଥରେ ମହଙ୍ଗା ହେବାରେ ଲାଗିଛି। ୫ ଏପ୍ରିଲ୍କୁ ସୁନା ଦର ୨୫୭ ଟଙ୍କା ବୃଦ୍ଧି ପାଇଛି। ଫଳରେ ଦିଲ୍ଲୀରେ ସୁନା ୧୦ ଗ୍ରାମ୍ ପ୍ରତି ୪୫,୧୭୬ ଟଙ୍କା ହୋଇଛି। ଠିକ୍ ସେହିପରି ରୁପା ମଧ୍ୟ ୮୦୯ ଟଙ୍କା ମହଙ୍ଗା ହୋଇ ୬୪,୫୪୬ ଟଙ୍କା ପ୍ରତି କିଲୋ ବିକ୍ରି ହେଉଛି। ଦେଶରେ ସୁନାର ବିକ୍ରି ବଢ଼ି ଚାଲିଛି। ଗତ ମାର୍ଚ୍ଚ ତୁଳନାରେ ସୁନା ଆମଦାନୀରେ ମଧ୍ୟ ୪୭୧% ବୃଦ୍ଧି ପାଇଛି। ୨୦୨୧ ଜାନୁଆରୀ-ମାର୍ଚ୍ଚ ଅବଧିରେ ୩୨୧ ଟନ୍ ସୁନା ଆମଦାନୀ କରାଯାଇଥିବା ବେଳେ ୨୦୨୦ ସମା ଅବଧିରେ ଏହାର ପରିମାଣ ୧୨୪ ଟନ୍ ଥିଲା। ଦେଶରେ ପୁଣି ଥରେ କରୋନାର ପ୍ରଭାବ ବଢ଼ିବା ଯୋଗୁଁ ନିବେଶକମାନେ ସୁନାରେ ନିବେଶ କରିବାକୁ ଅଧିକ ପସନ୍ଦ କରୁଛନ୍ତି। ଫଳରେ ଆଗାମୀ ସମୟରେ ଦର ଆହୁରି ବୃଦ୍ଧି ପାଇବ ବୋଲି ବିଶେଷଜ୍ଞମାନେ ମତବ୍ୟକ୍ତ କରିଛନ୍ତି। ବର୍ଷ ଶେଷ ଆଡ଼କୁ ସୁନା ଦର ୫୦ ହଜାର ପାର କରିବାର ସମ୍ଭାବନା ରହିଛି।