ସୁନା ବଜାରରେ ଚଡ଼କ, ଦାମ୍ ଶୁଣି ଗ୍ରାହକ ଛାନିଆ

ନୂଆଦିଲ୍ଲୀ: ଆମେରିକାର ଆକ୍ରମଣରେ ଇରାନର ଜଣେ କମାଣ୍ଡରଙ୍କ ମୃତ୍ୟୁ ପରେ ଦୁଇଦେଶ ମଧ୍ୟରେ ତୀବ୍ର ଉତ୍ତେଜନା ଦେଖାଦେଇଛି। ଏହାର ପ୍ରଭାବରେ ଶୁକ୍ରବାର ପ୍ରଥମଥର ପାଇଁ ପ୍ରତି ୧୦ ଗ୍ରାମ୍ ପିଛା ସୁନା ୪୧ ହଜାର ସ୍ତରକୁ ଟପିଥିବାବେଳେ ଶନିବାର ଏହା ୪୧,୨୯୦ ଟଙ୍କାର ସର୍ବୋଚ୍ଚ ସର୍ବକାଳୀନ ସ୍ତରରେ ପହଞ୍ଚିଥିଲା। ଏହି ଆକ୍ରମଣ ପାଇଁ ଆମେରିକା ଏବଂ ଇରାନ୍ ମଧ୍ୟରେ ଥିବା ଉତ୍ତେଜନାକୁ ଦୃଷ୍ଟିରେ ରଖି ନିବେଶକମାନେ ସୁନାକୁ ଅଧିକ ସୁରକ୍ଷିତ ନିବେଶ ମଣିଥିବାରୁ ବୈଷୟିକସ୍ତରରେ ସୁନା ଦରରେ ବୃଦ୍ଧି ପରିଲକ୍ଷିତ ହୋଇଛି।

ଶନିବାର ଦିଲ୍ଲୀ ସର୍ଫା ବଜାରରେ ସୁନା ୨୨୦ ଟଙ୍କା ବୃଦ୍ଧି ପାଇ ୧୦ ଗ୍ରାମ୍ ପିଛା ୪୧,୨୯୦ ଟଙ୍କାରେ ପହଞ୍ଚି ନୂତନ ରେକର୍ଡ ସୃଷ୍ଟି କରିଛି। ମାତ୍ର ରୁପା ମୂଲ୍ୟ ୧୫୦ ଟଙ୍କା ହ୍ରାସ ପାଇ କିଲୋପିଛା ୪୮,୫୦୦ ଟଙ୍କାକୁ ଖସିଆସିଛି। ଲଣ୍ଡନ ଏବଂ ନ୍ୟୁୟର୍କରୁ ମିଳିଥିବା ସୂଚନା ମୁତାବକ, ସପ୍ତାହ ଶେଷରେ ସୁନା ହାଜିରା ବୃଦ୍ଧି ପାଇ ଆଉନ୍ସ ପ୍ରତି ୧,୫୫୧.୪୦ ଡଲାରରେ ପହଞ୍ଚିଥିଲା। ଅନ୍ତର୍ଜାତୀୟ ବଜାରରେ ରୁପା ଆଉନ୍ସ ପ୍ରତି ୦.୨୦ ଡଲାର ହ୍ରାସ ପାଇ ୧୮.୦୩ ଡଲାର ରହିଛି। ତେବେ ଆମେରିକାର ଆକ୍ରମଣ ପରେ ଭୁ-ରାଜନୈତିକ ଉତ୍ତେଜନା ବୃଦ୍ଧି ପାଇବା ଏବଂ ତୈଳ ଯୋଗାଣରେ ବାଧା ସୃଷ୍ଟି ହେବା ଆଶଙ୍କାରେ ଅଶୋଧିତ ତୈଳଦରରେ ମଧ୍ୟ ବୃଦ୍ଧି ଦେଖିବାକୁ ମିଳିଥିଲା।