୭ ବର୍ଷର ସର୍ବୋଚ୍ଚ ସ୍ତରରେ ସୁନା: ୨୪ କ୍ୟାରେଟ୍ ୪୨,୮୬୦ ଟଙ୍କା

ଚେନ୍ନାଇ: ଆମେରିକା ଏବଂ ଇରାନ୍ ମଧ୍ୟରେ ଲାଗିରହିଥିବା ଉତ୍ତେଜନା କାରଣରୁ ମଧ୍ୟପ୍ରାଚ୍ୟରେ ଅନେକ ସଂକଟ ପରିଲକ୍ଷିତ ହେବା ନେଇ ଆଶଙ୍କା ରହିଛି। ବୁଧବାର ସକାଳେ ଇରାନ୍ ଦ୍ୱାରା ମିଶାଇଲ୍ ମାଡ଼ କରାଯିବା ପରେ ପରିସ୍ଥିତି ଆହୁରି ଜଟିଳ ହୋଇଯାଇଛି। ଯାହାଫଳରେ ବୈଷୟିକ ସୁନା ମୂଲ୍ୟରେ ନିଅାଁ ଲାଗିଛି ଏବଂ ଏହା ୨% ବୃଦ୍ଧି ପାଇ ୧,୬୧୧ ଡଲାରରେ ପହଞ୍ଚିଛି ବୋଲି ଟାଇମ୍ସ ଅଫ୍ ଇଣ୍ଡିଆ ରିପୋର୍ଟରୁ ଜଣାପଡ଼ିଛି। ଯାହା ବିଗତ ୭ ବର୍ଷର ସର୍ବୋଚ୍ଚ ସ୍ତର ବୋଲି ଉଲ୍ଲେଖ କରାଯାଇଛି।

ଗୋଟିଏ ରାତିରେ ସୁନା ମୂଲ୍ୟ ସବୁଠୁ ଉଚ୍ଚସ୍ତରରେ ରହି ଏହାର କାରବାର ବନ୍ଦ କରିଛି। ସୁରକ୍ଷିତ ନିବେଶ ମନେ କରି ନିବେଶକମାନେ ସୁନାରେ ଭାରିମାତ୍ରାର ନିବେଶ କରିବା ଦ୍ୱାରା ବିଗତ ସାତବର୍ଷରେ ପ୍ରଥମଥର ପାଇଁ ଗୁରୁବାର ସକାଳେ ସୁନା ଆଉନ୍ସ ପିଛା ୧,୬୦୦ ଡଲାରକୁ ଟପିଛି ବୋଲି ୟେସ୍ ବ୍ୟାଙ୍କର ମୁଖ୍ୟ ଅର୍ଥଶାସ୍ତ୍ରୀ ଶୁଭଦା ରାଓ ପ୍ରକାଶ କରିଛନ୍ତି। ଚେନ୍ନାଇରେ ୨୪ କ୍ୟାରେଟ୍ ସୁନାର ଘରୋଇ ମୂଲ୍ୟ ୧୦ ଗ୍ରାମ୍ ପିଛା ୪୨,୮୬୦ ଟଙ୍କା ରହି ନୂତନ ରେକର୍ଡ ସୃଷ୍ଟି କରିଥିବା ରିପୋର୍ଟରେ କୁହାଯାଇଛି।

ସେହିପରି କୋଲାତାରେ ୧୦ ଗ୍ରାମ୍ ପିଛା ସୁନା ଦର ୪୧,୭୮୦ ଟଙ୍କା, ନୂଆଦିଲ୍ଲୀରେ ୪୧,୨୮୦ ଟଙ୍କା, ମୁମ୍ବାଇରେ ୪୧,୧୫୦ ଟଙ୍କା ଏବଂ ଅହମ୍ମଦାବାଦରେ ୪୧,୬୩୦ ଟଙ୍କା ରହିଛି। ଚଳିତ କ୍ୟାଲେଣ୍ଡର ବର୍ଷ ଆରମ୍ଭ ହେବାର କିଛିଦିନ ମଧ୍ୟରେ ସୁନା ଦାମ୍ ୫.୫% ପର୍ଯ୍ୟନ୍ତ ବୃଦ୍ଧି ପାଇଥିବାବେଳେ ଚଳିତ ଆର୍ଥିକବର୍ଷରେ ଏହା ୨୫% ପର୍ଯ୍ୟନ୍ତ ମହଙ୍ଗା ହୋଇଛି। ସେହିପରି ଦିନକୁ ୧୦ ଗ୍ରାମ୍ ପିଛା ସୁନା ଦର ୪୫୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଉଥିବାବେଳେ ୧୦ ଦିନ ମଧ୍ୟରେ ଏହା ୨୦୦୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇଛି।