ଜମ୍ମୁ,ଏଜେନ୍ସି: କଂଗ୍ରେସରେ ସଂସ୍କାର ଆଣିବା ପାଇଁ ଦାବି କରୁଥିବା ଦଳର କେତେକ ବରିଷ୍ଠ ନେତାଙ୍କୁ ନେଇ ଗଠନ ହୋଇଥିବା ଜି-୨୩ ବୈଠକର ଦିନକ ପରେ ଏଥିରେ ସାମିଲ ହୋଇଥିବା ଗୁଲାମ ନବୀ ଆଜାଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉଚ୍ଚ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, ମୋଦୀ ନିଜ ସମ୍ପର୍କରେ କିଛି ଲୁଚାନ୍ତି ନାହିଁ। ପ୍ରଧାନମନ୍ତ୍ରୀଙ୍କୁ ଗୁଲାମ ନବୀଙ୍କ ଏଭଳି ପ୍ରଶଂସାକୁ ରାଜନୈତିକ ମହଲରେ ଭିନ୍ନ ଭାବରେ ଗ୍ରହଣ କରାଯାଉଛି। କଂଗ୍ରେସର ଏହି ବରିଷ୍ଠ ନେତା ବିଜେପିରେ ଯୋଗ ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଜମ୍ମୁରେ ଏକ ଜନସମାବେଶକୁ ସମ୍ବୋଧିତ କରି ସେ କହିଛନ୍ତି, ବିଭିନ୍ନ ନେତାଙ୍କର ଅନେକ କିଛି ଗୁଣ ମୋତେ ଭଲ ଲାଗେ। ମୁଁ ଗାଁରୁ ଆସିଥିବାରୁ ଗର୍ବ ଅନୁଭବ କରେ। ଆମର ପ୍ରଧାନମନ୍ତ୍ରୀ ମଧ୍ୟ ଗାଁରୁ ଆସିଛନ୍ତି ଏବଂ ଅତୀତରେ ଚା ବିକୁଥିଲେ। ଆମେ ତାଙ୍କର ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀ ହେଲେ ମଧ୍ୟ ମୋଦୀଙ୍କର ଏହି ମେଲାଖୋଲା ମନୋଭାବକୁ ମୁଁ ପସନ୍ଦ କରେ।