ଗରିବଙ୍କ ସହ ପ୍ରତାରଣା କରିଛନ୍ତି ରାଜ୍ୟ ସରକାର: ଗୋଲକ ମହାପାତ୍ର

ଭୁବନେଶ୍ୱର,ଏନ୍ଏନ୍ଏସ୍: ଓଡ଼ିଶା ରାଜ୍ୟ ଚିକିତ୍ସା ପାଣ୍ଠି(ଓଏସଟିଏଫ) ବନ୍ଦ ହେବା ନେଇ ରାଜ୍ୟ ସରକାରଙ୍କୁ ଘେରିଛି ବିଜେପି। ଏନେଇ ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର କହିଛନ୍ତି ଯେ ଫେବୃଆରୀ ମାସରେ ଓଏସଟିଏଫ ବନ୍ଦ ହେବ ନାହିଁ ବୋଲି ରାଜ୍ୟ ସରକାର ବିଧାନସଭାରେ ଉତ୍ତର ରଖିଥିଲେ। ମାତ୍ର କରୋନା ମହାମାରୀ ସମୟରେ କ’ଣ ପାଇଁ ଏଭଳି ଯୋଜନାକୁ ବନ୍ଦ କଲେ? ଓଏସଟିଏଫକୁ ଆର୍ଥିକ ଦୁର୍ବଳ ଶ୍ରେଣୀର ଲୋକଙ୍କ ପାଇଁ ଯୋଜନା କହୁଥିବା ବେଳେ ରାଜ୍ୟସରକାର ଏହାକୁ ବନ୍ଦ କରି ଗରିବଙ୍କ ପ୍ରତି ପ୍ରତାରଣା କରିଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି।

ଶ୍ରୀ ମହାପାତ୍ର କହିଛନ୍ତି ଯେ ଓଏସଟିଏଫ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଆସୁଥିବାରୁ ଏହାକୁ ବନ୍ଦ କଲେ ଲକ୍ଷ ଲକ୍ଷ ପରିବାର ବାହାର ରାଜ୍ୟରେ ଚିକିତ୍ସା ହେବାରୁ ବଞ୍ଚିତ ହେବେ। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସମସ୍ତ ସରକାରୀ ହସ୍ପିଟାଲ ସହ ୨୦୮ ସ୍ୱୀକୃତିପ୍ରାପ୍ତ ବେସରକାରୀ ହସ୍ପିଟାଲରେ ଚିକିତ୍ସା ସୁବିଧା ମିଳିବ ବୋଲି ରାଜ୍ୟ ସରକାର ଦୃଢ଼ୋକ୍ତି ପ୍ରକାଶ କରିଥିଲେ। ମାତ୍ର ବିଧାନସଭାରେ ସରକାର ରଖିଥିବା ତଥ୍ୟ ଅନୁଯାୟୀ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସୁବିଧା ମିଳିଥିବା ସ୍ୱୀକୃତିପ୍ରାପ୍ତ ବେସରକାରୀ ହସ୍ପିଟାଲ ସଂଖ୍ୟା କ୍ରମାଗତ ଭାବେ ହ୍ରାସ ପାଉଛି। ରାଜ୍ୟରେ ଗତ ନଭେମ୍ବର ୧୮ ତାରିଖରେ ସ୍ୱୀକୃତିପ୍ରାପ୍ତ ବେସରକାରୀ ହସ୍ପିଟାଲ ସଂଖ୍ୟା ୧୯୬ ଥିବାବେଳେ ୧୬ ଫେବୃଆରୀ ୨୦୨୦ ସୁଦ୍ଧା ଏହା କମି ୧୮୦ ରେ ପହଞ୍ଚିଛି। ଏକ ବର୍ଷ ମଧ୍ୟରେ ବେସରକାରୀ ହସ୍ପିଟାଲ ସଂଖ୍ୟା କମିଲା କିପରି ବୋଲି ଶ୍ରୀ ମହାପାତ୍ର ପ୍ରଶ୍ନ କରିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଜଣେ ରୋଗୀ ନିଜର ସମସ୍ତ ଚିକିତ୍ସା ଖର୍ଚ୍ଚ ବହନ କରିପାରିବ ନାହିଁ। ବିଶେଷକରି ଏହି ଯୋଜନାରେ ବ୍ୟବସ୍ଥା କରାଯାଇଥିବା ଅର୍ଥରେ ଆଇସିୟୁ ସେବା ଉପଲବ୍ଧିତା କଷ୍ଟକର ବ୍ୟାପାର ହୋଇଥିବା ବେଳେ କିଡନୀ ପ୍ରତ୍ୟାରୋପଣ, ନ୍ୟୁରୋ ସର୍ଜରୀ, ଅର୍ଥୋ ସର୍ଜରୀ ଆଦି ଗୁରୁତର ଅପରେସନ ଅସମ୍ଭବ ବ୍ୟାପାର ଅଟେ। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ୭୦ ଲକ୍ଷ ପରିବାରଙ୍କୁ ଯୋଡ଼ିବା ପାଇଁ ରାଜ୍ୟ ସରକାର ଘୋଷଣା କରିଥିଲେ। କିନ୍ତୁ ବିଧାନସଭା ୨୦୧୮-୧୯ ତଥ୍ୟରୁ ଜଣାପଡ଼ିଛି ଯେ, ମାତ୍ର ସାଢ଼େ ୩କୋଟି ଟଙ୍କା ଏହି ଯୋଜନାରେ ଖର୍ଚ୍ଚ ହୋଇଛି। ତେଣୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ପ୍ରଗତି ଓଡ଼ିଶାରେ ଆଶାଜନକ ନୁହେଁ। ତେଣୁ ଯଦି ରାଜ୍ୟ ସରକାର ଅର୍ଥାଭାବର ସମ୍ମୁଖୀନ ହେଉଛନ୍ତି ତେବେ ଆୟୁଷ୍ମାନ ଭାରତ ଯୋଜନାରେ ଯୋଡ଼ିହେବା ପାଇଁ ଶ୍ରୀ ମହାପାତ୍ର ଅନୁରୋଧ କରିଛନ୍ତି।

ଆୟୁଷ୍ମାନ ଭାରତ ଯୋଜନାରେ ସାରା ଦେଶରେ ୨୦ ହଜାର ହସ୍ପିଟାଲରେ ଗରିବ ଲୋକଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଉଛି। ଦେଶର ଯେକୌଣସି ପ୍ରାନ୍ତରେ ଥିଲେ ବି ସାଧାରଣ ଲୋକଟିଏ ଚିକିତ୍ସିତ ହୋଇପାରିବ ବୋଲି ସେ କହିଛନ୍ତି। ଆୟୁଷ୍ମାନ ଭାରତରେ ରାଜ୍ୟ ସରକାର ଯୋଡ଼ିହେଲେ ଏସଇସିସି ତାଲିକା ଅନୁଯାୟୀ ୬୧ ଲକ୍ଷ ୩୫ ହଜାର ଲୋକଙ୍କ ସହିତ ସହରାଞ୍ଚଳରେ ବାସ କରୁଥିବା ଡ୍ରାଇଭର ଏବଂ ସଫେଇ କର୍ମଚାରୀ ଏହି ଯୋଜନାରେ ସୁବିଧା ପାଇପାରିବେ। ମାତ୍ର ପ୍ରଧାନମନ୍ତ୍ରୀ, କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବାରମ୍ବାର ଅନୁରୋଧ ସତ୍ତ୍ବେ ରାଜ୍ୟ ସରକାର ଆୟୁଷ୍ମାନ ଭାରତ ଯୋଜନାକୁ ଗ୍ରହଣ ନକରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ରାଜ୍ୟ ସରକାର ନିଜ ଜିଦରୁ ହଟି ଓଡ଼ିଆ ଲୋକଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇଦେବାରେ ସହାୟକ ହୋଇ ଆୟୁଷ୍ମାନ ଭାରତ ଯୋଜନାକୁ ରାଜ୍ୟରେ ଲାଗୁ କରନ୍ତୁ ବୋଲି ଶ୍ରୀ ମହାପାତ୍ର ଅନୁରୋଧ କରିଛନ୍ତି।