ମଣିଷ ପରି ହେଲା ଛେଳିର ଶେଷକୃତ୍ୟ ସମ୍ପନ୍ନ, ଗ୍ରାମରେ ଶୋକାକୁଳ ପରିବେଶ

ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ବୁଢ଼ୀକାପୁଡି ପଞ୍ଚାୟତ ତେନ୍ତେଳା ଗ୍ରାମରେ ଦେଖିବାକୁ ମିଳିଛି ମଣିଷ ଓ ପଶୁ ଭିତରେ ଥିବା ଅନାବିଳ ସମ୍ପର୍କ। ପୁଅ ଭଳି ସ୍ନେହ ଦେଉଥିବା ପଶୁ ଛେଳି “ମାତାଲ” ର ମୃତ୍ୟୁ ପରେ ମଣିଷ ସାମଜ ଭଳି ଛେଳିର ଅନ୍ତିମ ସତ୍କାର କରିଛନ୍ତି ଦମ୍ପତି। ବୁଢ଼ିକାପୁଡି ପଞ୍ଚାୟତ ତେନ୍ତଳା ଗ୍ରାମର ଦମ୍ପତି ଧନେଶ୍ୱର ନାଏକ ଓ ସ୍ତ୍ରୀ ମିନତି ନାଏକ ଉଭୟଙ୍କ ବିବାହର ୩୦ ବର୍ଷ ବିତି ଯାଇଥିଲେ ମଧ୍ୟ ସେ ନିଃସନ୍ତାନ ଥିଲେ। ଏ ନେଇ ସେମାନେ ଅନେକ ସମୟରେ ଚିନ୍ତାରେ ରହୁଥିଲେ। ଗରିବ ପରିବାର ହୋଇଥିବାରୁ ଘରେ ଛେଳି ପାଳନ କରିଥିଲେ।

ଉଭୟ ପାଖାପାଖି ୩୦ରୁ ଅଧିକ ଛେଳି ପାଳନ କରୁଥିଲେ ମଧ୍ୟ ସେଥିମଧ୍ୟରୁ “ମାତାଲ” ଥିଲା ଅନ୍ୟତମ। ସେମାନଙ୍କର ସନ୍ତାନ ନଥିବାରୁ ଛେଳି ‘ମାତାଲ’କୁ ନିଜର ପୁଅ ଭଳି ସ୍ନେହ ଦେଉଥିଲେ। ତାକୁ ନିଜ ପାଖରେ ଶୁଆଇବା ସହ ଭାତ ଡାଲି ଖାଇବାକୁ ଦେଉଥିଲେ। ଦୀର୍ଘ ୮ ବର୍ଷ ଧରି ତାକୁ ନିଜର ସନ୍ତାନ ଭଳି ପାଳିଥିଲେ। ଛେଳିଟି ଯେଉଁଠି ଥିଲେ ବି ମାତାଲ ନାଁ ଧରି ଡାକିଦେଲେ ପାଖକୁ ଆସୁଥିଲା ଆଉ ପଶୁ ଭଳି ଖାଦ୍ୟ ନ ଖାଇ ମଣିଷ ଯାହା ଖାଏ ତାହା ଛେଳି ଖାଉଥିଲା। ନିଃସନ୍ତାନ ମିନତି ନିଜ କୋଳରେ ଛୁଆଟେ ଧରିବା ପାଇଁ ଅନେକ ଆଶା ବାନ୍ଧିଥିବା ବେଳେ ଭଗବାନ ତାଙ୍କ କୋଳରେ କୌଣସି ସନ୍ତାନ ନଦେବାରୁ ଛେଳିକୁ ସେ ମା’ର ସ୍ନେହ ଦେଇ ପାଳନ କରିଥିଲେ। ଗତକାଲି କୌଣସି କାରଣରୁ ଛେଳିର ମୃତ୍ୟୁ ପରେ ଉଭୟ ଦମ୍ପତି ସାହି ପଡିଶାଙ୍କୁ ଡାକି ମଣିଷଙ୍କ ଶେଷକୃତ୍ୟ ସମ୍ପନ୍ନ ଭଳି ଛେଳିର ଶେଷକୃତ୍ୟ ନିଜ ବାଡ଼ିରେ କରିଛନ୍ତି। ୪ ଖଣ୍ଡ ବାଉଁଶ କୋକେଇ କରି ସାହି ପଡ଼ିଶା ବନ୍ଧୁବାନ୍ଧବଙ୍କ ଗହଣରେ ଜୁଇରେ ନିଆଁ ଲଗାଇ ଛେଳିର ଶେଷକୃତ୍ୟ ସମ୍ପନ୍ନ କରିଛନ୍ତି।

ଏବେ କରୋନା ଭୟରେ ମଣିଷର ଶେଷକୃତ୍ୟ ସମ୍ପନ୍ନ କରିବା ପାଇଁ ନିଜ ଲୋକ ବନ୍ଧୁବାନ୍ଧବ ଶବର ପାଖ ମାଡୁନଥିବା ବେଳେ ଏହି ଦମ୍ପତି ଏକ ପଶୁକୁ ପୁଅ ଭଳି ସ୍ନେହ ଦେବା ସହ ମୃତ୍ୟୁ ପରେ ତାର ମଣିଷ ପରି ଶବ ସତ୍କାର କରିଛନ୍ତି। ଏହି ସମୟରେ ସହ ସହ ଲୋକଙ୍କ ଉପସ୍ଥିତ ମଣିଷ ଓ ପଶୁ ମଧ୍ୟରେ ଅନାବିଳ ସମ୍ପର୍କ ସହ ନିଃସନ୍ତାନଙ୍କ ପାଇଁ ଏଘଟଣା ସାରା ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।