ନିଆଁ ହୁଳାରେ ପୃଥିବୀ

ପ୍ରଦୀପ ଭାରତୀ

ଜଳବାୟୁ ଓ ପାଣିପାଗ ମଧ୍ୟରେ ଏକ ଜନପ୍ରିୟ ଶବ୍ଦାବଳୀରେ ପ୍ରକାଶ କରାଯାଏ ଯେ, “ତୁମେ ଯାହା ଆଶା କର ତାହା ଜଳବାୟୁ, ତୁମେ ଯାହା ପାଅ ତାହା ପାଣିପାଗ” ଏହି ଉକ୍ତିରୁ ଜଣାପଡ଼ୁଛି ଜଳବାୟୁ ପରିବର୍ତ୍ତନ ଏମିତି ଭାବରେ ହୋଇସାରିଲାଣି ଯେ, ଖରାଦିନେ ବାତ୍ୟା ହେଉଛି। ଗତ ବର୍ଷ ମେ’ ମାସରେ ହୋଇଥିବା ସାମୁଦ୍ରିକ ଝଡ଼ ଫାନୀ ଗ୍ଲୋବାଲ୍ ୱାର୍ମିଂର ସଜ୍ଞା ସାଜିଥିବା ବେଳେ ଆଗକୁ ଏମିତି ହିଁ ଘଟିବ ବୋଲି ପରିବେଶବିତ୍ମାନେ କହିଛନ୍ତି।

ଦିନକୁ ଦିନ ବିଶ୍ୱରେ ବୃଦ୍ଧି ପାଉଥିବା ତାପମାତ୍ରା ଯୋଗୁଁ ବାୟୁମଣ୍ଡଳରେ ହେଉଥିବା ପରିବର୍ତ୍ତନକୁ ହିଁ ଗ୍ଲୋବାଲ ୱାର୍ମିଂ ବା ବିଶ୍ୱ ତାପନ କୁହାଯାଏ। ଯଦି ଆମେ ଏହାକୁ ସରଳ ଭାବେ ବୁଝିବା ତେବେ ଗ୍ଲୋବାଲ ୱାର୍ମିଂର ପରିଣାମ ସ୍ୱରୁପ ଋତୁଚକ୍ର ସଠିକ୍ ସମୟରେ ପରିବର୍ତ୍ତନ ନହେବା ବା ବର୍ଷା ସମୟରେ ବର୍ଷାର ଅନିୟମିତା, ଶୀତ ଦିନେ ଶୀତ ନହେବା ଓ ଅସମୟରେ ଝଡ଼ ତୋଫାନ ହେବା ଇତ୍ୟାଦିକୁ ବୁଝାଏ।

ଗ୍ଲୋବାଲ ୱାର୍ମିଂ ଆଜିର ଦିନରେ ସାରା ବିଶ୍ୱ ପାଇଁ ଏକ ଭୟଙ୍କର ରାକ୍ଷସ ରୂପ ଧାରଣ କରିଥିବା ବେଳେ ଦିନକୁ ଦିନ ତା’ର କାୟା ବିସ୍ତାର ହେବାରେ ଲାଗିଛି। ଯେଉଁଥିପାଇଁ ଭୂତଳ ଜଳ ସରି ସରି ଆସୁଥିବା ବେଳେ ଏହା ଯୋଗୁଁ ଆଗକୁ ଜଳ ସଂଙ୍କଟ ମାଡ଼ି ଆସୁଛି। ଅନ୍ୟପଟେ ଗ୍ଲୋବାଲ ୱାର୍ମିଂ ଯୋଗୁଁ ବିଶ୍ୱରେ ଥିବା ଗ୍ଲାସିୟର ବା ହିମଖଣ୍ଡ ତରଳିବାରେ ଲାଗିଛି। ଫଳରେ ସମୁଦ୍ରର ଜଳସ୍ତର ବୃଦ୍ଧି ପାଉଥିବାରୁ ଅନେକ ସମୁଦ୍ର କୁଳିଆ ଅଞ୍ଚଳ ସମୁଦ୍ର ଗର୍ଭରେ ଲୀନ ହେବାରେ ଲାଗିଛି। ବିଶ୍ୱର ସବୁଠାରୁ ସୁନ୍ଦର ସହର ଭାବରେ ଜଣାଥିବା ଭେନିସ ଧୀରେଧୀରେ ପାଣିରେ ମିଶିବାକୁ ବସିଲାଣି। ଏମିତିକି ଏଠାରେ ଥିବା ବଡ଼ ବଡ଼ କୋଠାଗୁଡ଼ିକ ଗୋଟିଏ ମହଲା ପର୍ଯ୍ୟନ୍ତ ବୁଡ଼ିବାକୁ ଆରମ୍ଭ କଲାଣି।

ତେବେ ସବୁଠାରୁ ବଡ଼ କଥାଟି ହେଲା ଗ୍ଲୋବାଲ ୱାର୍ମିଂ ସାରା ବିଶ୍ୱ ପାଇଁ ଭୟଙ୍କର ବିପଦକୁ କାନ୍ଧରେ ବସାଇ ଆଣୁଥିବା ବେଳେ ସାଧାରଣ ଲୋକମାନେ ଏ ଦିଗରେ ଆଦୌ ସଚେତନ ହୋଇନାହାନ୍ତି। ଯଦିଓ ପୂର୍ବରୁ ପରିବେଶବିତ୍ମାନେ ଏହାକୁ ତୃତୀୟ ବିଶ୍ୱଯୁଦ୍ଧ ଠାରୁ ବି ଭୟଙ୍କର ଆକ୍ଷା ଦେଇସାରିଛନ୍ତି କିନ୍ତୁ ବିଶ୍ୱର ଛାମୁଁଆ ରାଷ୍ଟ୍ରଗୁଡ଼ିକ ଏହାର ସମାଧାନ ବା ଏହାକୁ ରୋକିବା ପାଇଁ ସେମିତି ଆନ୍ତରିକତା ଦେଖାଉ ନାହାନ୍ତି।

ଗୋଟିଏ ପଟେ ବିଶ୍ୱରେ ଜନସଂଖ୍ୟା ବୃଦ୍ଧି ପାଉଥିବା ବେଳେ ମଣିଷର ଆବଶ୍ୟକତା ମଧ୍ୟ ବୃଦ୍ଧି ପାଉଛି। ସବୁ ଜିନଷକୁ ନିଜ ହାତ ପାହାନ୍ତାରେ ପାଇବା ପାଇଁ ମଣିଷ ଯେକୌଣସି ସ୍ତରକୁ ବା ଟେକ୍ନୋଲୋଜିର ବହୁଳ ବ୍ୟବହାର କରୁଛି। ଶିଳ୍ପ ନାଁରେ ଚାରିଆଡ଼େ କଳକାରଖାନା ସାଙ୍ଗକୁ କଂକ୍ରିଟ୍ ଜଙ୍ଗଲ ବଢ଼ିବାରେ ଲାଗିଛି। ଏହି କାରଣ ପାଇଁ ଗ୍ରୀନ୍ ହାଉସ୍ ଗ୍ୟାସ୍ର ପରିମାଣ ଦିନକୁ ଦିନ ବଢ଼ିବାରେ ଲାଗିଛି। କାରଣ ପୃଥିବୀପୃଷ୍ଟକୁ ସୂର୍ଯ୍ୟାଲୋକ ହିଁ ଉତ୍ତପ୍ତ କରିଥାଏ।

ପୃଥିବୀକୁ ସୂର୍ଯ୍ୟ କିରଣ ପଡ଼ିବା ପରେ ଏହି ରଶ୍ମୀର କିଛି ଅଂଶ ପୃଥିବୀ ଦ୍ୱାରା ଶୋଷିତ ହୁଏ ଏବଂ ଅବଶିଷ୍ଟ ମହାକାଶକୁ ଫେରିଯାଏ। ଏହି ପ୍ରତିଫଳିତ ରଶ୍ମୀର କିଛି ଅଂଶକୁ ବାୟୁମଣ୍ଡଳ ଧରି ରଖେ। ଫଳରେ ବାୟୁ ମଣ୍ଡଳର ଉତ୍ତାପ ବଢ଼େ। ଏହାକୁ ସବୁଜ କୋଠରି ପ୍ରଭାବ ବା ଗ୍ରୀନ୍ ହାଉସ୍ ପ୍ରଭାବ କୁହାଯାଏ। ତେବେ ମନୁଷ୍ୟ ସମାଜ ବ୍ୟବହାର କରୁଥିବା ମେସିନାରୀ ସାମଗ୍ରୀ ଓ କଳକାରଖାନାରୁ ନିର୍ଗତ ମିଥେନ୍, ଅଙ୍ଗାରକାମ୍ଳ, ଜଳୀୟବାଷ୍ଫ, ନାଇଟ୍ରସ୍ଅକ୍ସାଇଡ୍ ପରି ଗ୍ୟାସ୍ ସୂର୍ଯ୍ୟଙ୍କ ତାପକୁ ଜାବୁଡ଼ି ଧରୁଛନ୍ତି। ଏହାଦ୍ୱାରା ପୃଥିବୀ ଉଷ୍ଣ ରହିବା ସହିତ ପ୍ରବଳ ଗରମ ଗୁଳୁଗୁଳି ଅନୁଭୂତ ହେଉଛି।

ପରିଣାମ ସ୍ୱରୁପ ଗତ ୨୦୧୫ ମସିହାରେ ବିଶ୍ୱର ତାପମାତ୍ରା ଅଭିବୃଦ୍ଧି ପ୍ରାୟ ୧ ଡିଗ୍ରୀ ସେଲ୍ସିୟସ ଅତିକ୍ରମ କରିଥିଲା। ଯାହାକି ୧୮୫୦ ମସିହା ତୁଳନାରେ ପ୍ରଥମ କରି ଏହି ଅଭିବୃଦ୍ଧି ଘଟିଥିଲା। ସମାନଭାବେ ତା’ ପର ବର୍ଷ ଅର୍ଥାତ୍ ୨୦୧୬ ମସିହାରେ ମଧ୍ୟ ଏହି ଅଭିବୃଦ୍ଧି ପୁଣି ବୃଦ୍ଧି ପାଇ ୧.୧ ଡିଗ୍ରୀ ସେଲ୍ସିୟସରେ ପହଞ୍ଚଥିଲା। ତାପମାତ୍ରାରେ ଏହି ରେକର୍ଡ ସଂଖ୍ୟକ ବୃଦ୍ଧି ଯୋଗୁଁ ସେହିବର୍ଷ ଏହା ଅତ୍ୟଧିକ ଗରମ ବର୍ଷରେ ପରିଣତ ହୋଇଥିଲା। ସେହିପରି ୨୦୧୯ ବର୍ଷରେ ବି ଏହି ଧାରା ଜାରି ରହିବା ସହିତ ଏହା ଦ୍ୱିତୀୟ ଅତ୍ୟଧିକ ଗରମ ବର୍ଷରେ ପରିଣତ ହୋଇଛି।

୨୦୧୯ ବର୍ଷରେ ବିଶ୍ୱର ଅନେକ ଦେଶରେ ତାପମାତ୍ରାରେ ମାତ୍ରାଧିକ ବୃଦ୍ଧି ଘଟିଥିବା ବେଳେ ଜର୍ମାନୀ, ନେଦରଲାଣ୍ଡ, ଅଷ୍ଟ୍ରିଆ, ଆଦିରେ ଗରମ ରେକର୍ଡ ଭଙ୍ଗ ହୋଇଥିଲା। ଫ୍ରାନ୍ସରେ ୨୦୧୯ ଜୁନ୍ ମାସରେ ୪୬ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଥିଲା। ସେହିପରି ଇଂଲଣ୍ଡରେ ଗତ ଜୁଲାଇ ମାସରେ ତାପମାତ୍ରା ବୃଦ୍ଧି ଘଟି ନୂଆ ରେକର୍ଡ କରିଛି। ତେବେ ଚଳିତ ବର୍ଷ ମଧ୍ୟ ଆଉ ଏକ ଗରମ ବର୍ଷରେ ପରିଣତ ହେବ ବୋଲି ବୈଜ୍ଞାନିକମାନେ ଏବେଠାରୁ ଚେତାବନୀ ଦେଇସାରିଲେଣି। ବିଶ୍ୱର ତାପମାନର ବୃଦ୍ଧି ଅତିକମ୍ରେ ୧.୧ ଡିଗ୍ରୀ ସେଲ୍ସିୟସ ଅଭିବୃଦ୍ଧି ଘଟିବ ବୋଲି ମଧ୍ୟ ଆଶଙ୍କା ରହିଛି।