ମୃତ କୋଭିଡ ଯୋଦ୍ଧାଙ୍କ ପତ୍ନୀଙ୍କୁ ୫୦ ଲକ୍ଷ ଟଙ୍କା ପ୍ରଦାନ

କୋରାପୁଟ,ଏନ୍ଏନ୍ଏସ୍: କରୋନାରେ ପ୍ରାଣ ହରାଇଥିବା ଆୟୁଷ ଡାକ୍ତର ପ୍ରସନ୍ନ ଜାଲିଙ୍କ ପତ୍ନୀଙ୍କୁ ୫୦ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ଲମତାପୁଟ ବ୍ଲକ୍ ବନମାଳିପୁଟ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ଜାଲି କାର୍ଯ୍ୟ କରୁଥିବାବେଳେ କରୋନାରେ ଆକ୍ରାନ୍ତ ହୋଇ ୨୦୨୦ ସେପ୍ଟେମ୍ବର ୨୩ରେ ମୃତ୍ୟୁବରଣ କରିଥିଲେ। ରାଜ୍ୟ ସରକାରଙ୍କ ଅନୁମୋଦନ ପରେ ଜିଲ୍ଲାପାଳ ମଧୁସୂଦନ ମିଶ୍ର ଡାକ୍ତର ଜାଲିଙ୍କ ପତ୍ନୀ ସ୍ୱାଗତିକା ବାରିକଙ୍କୁ ଚେକ୍ ପ୍ରଦାନ କରିଛନ୍ତି। ଚେକ୍ ପ୍ରଦାନ ସମୟରେ ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଜ୍ଞାନଜିତ ତ୍ରିପାଠୀ, ସେକ୍ସନ୍ ଅଫିସର୍ ପ୍ରକାଶ ଚନ୍ଦ୍ର ସାମଲ ଉପସ୍ଥିତ ଥିଲେ। ପୂର୍ବରୁ ୧୮ତାରିଖରେ କୋଭିଡ୍ ଯୋଦ୍ଧା ତତ୍କାଳୀନ କୋରାପୁଟ ଟାଉନ୍ ଥାନାଧିକାରୀ ପୀତବାସ ଧାରୁଆ, ନନ୍ଦପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧୀନ ହିକିମପୁଟ ଉପକେନ୍ଦ୍ରର ମହିଳା ସ୍ୱାସ୍ଥ୍ୟକର୍ମୀ ସବିତ୍ରୀ ଜାନୀ ଓ ଡିଏସଆଇ ସର୍ବେଶ୍ୱର ପ୍ରଧାନଙ୍କ ପରିବାର ଲୋକଙ୍କୁ ୫୦ ଲକ୍ଷ ଟଙ୍କା ଲେଖାଏଁ ଜିଲ୍ଲାପାଳ ପ୍ରଦାନ କରିଥିଲେ।