ଗୋବରୀ ନଦୀକୁ ଶୌଚ ହେବାକୁ ଯାଇ ଯୁବତୀ ନିଖୋଜ

କେନ୍ଦ୍ରାପଡ଼ା,ଏନ୍ଏନ୍ଏସ୍: କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଗଙ୍ଗାରାମପୁର ପଞ୍ଚାୟତର କଇଁକୂଳା ଗାଁର ଅଭିରାମ ଲେଙ୍କାଙ୍କ ୨୧ ବର୍ଷୀୟା ଝିଅ ଇତିଶ୍ରୀ ଲେଙ୍କା ନଦୀକୁ ଶୌଚ ହେବାକୁ ଯାଇ ନିଖୋଜ। ଆଜି ସକାଳେ ଘର କାମ ସାରି ଗୋବରୀ ନଦୀକୁ ଶୌଚ ପାଇଁ ଯାଇଥିଲେ। ହେଲେ ବିଳମ୍ବ ପର୍ଯ୍ୟନ୍ତ ଘରକୁ ଫେରିନଥିଲେ। ପରେ ମା’ ବାସନ୍ତି ଇତିଶ୍ରୀଙ୍କୁ ଚାରିଆଡେ ଖୋଜିଥିଲେ ସୁଦ୍ଧା ପାଇନଥିଲେ। ଶେଷରେ ଗୋବରୀ ନଦୀ କୂଳରେ ଇତିଶ୍ରୀଙ୍କର ଚଦର ଓ ବାଲ୍ଟି ଥୁଆ ହୋଇଥିବା ଦେଖିବାକୁ ମିଳିଥିଲା। ତେବେ ଇତିଶ୍ରୀଙ୍କୁ କୁମ୍ଭୀର ଟାଣିନେଇଥିବା ସ୍ଥାନୀୟ ଲୋକମାନେ ସନ୍ଦେହ କରୁଛନ୍ତି। ଏନେଇ ଗ୍ରାମବାସୀମାନେ ପଟ୍ଟାମୁଣ୍ଡାଇ ଦମକଳ ବିଭାଗକୁ ଖବର ଦେଇଥିଲେ। ଦମକଳ ବାହିନୀ ଓ ସ୍ଥାନୀୟ ଗାଁ ଲୋକେ ଡଙ୍ଗାରେ ଗୋବରୀ ନଦୀରେ ଚାରିଆଡେ ଖୋଜି ନିରାଶ ହୋଇଛନ୍ତି।

ସୂଚନା ଅନୁସାରେ ଇତିଶ୍ରୀଙ୍କ ଚଦର ଓ ବାଲ୍ଟି ମିଳିଥିବା ସ୍ଥାନର କିଛି ଦୂରରେ ନଦୀ କୂଳରେ ଏକ କୁମ୍ଭୀର ଶୋଇଥିବା ଲୋକେ ଫଟୋ ଉଠାଇଛନ୍ତି। ଏହି ବିଶାଳ କୁମ୍ଭୀରର ଲମ୍ବ ୧୨ ଫୁଟରୁ ଅଧିକ। ସ୍ଥାନୀୟ ଲୋକଙ୍କ କହିବା କଥାକି ଏହି ସ୍ଥାନରେ ଦୈନନ୍ଦିନ ୬/୭ଟି କୁମ୍ଭୀର ଦେଖାଯାଆନ୍ତି।