ଗୁରୁଙ୍କ ନାଁରେ କଳଙ୍କ: ଟ୍ୟୁସନ ବେଳେ ଛାତ୍ରୀଙ୍କୁ ଅସଦାଚରଣ

ଦାରିଙ୍ଗବାଡି,ଏନ୍ଏନ୍ଏସ୍: ପୁଣି ଗୁରୁ ନାଁରେ କଳଙ୍କ। ଦାରିଙ୍ଗବାଡି ଥାନା ଅଞ୍ଚଳର ଜନୈକ ନାବାଳିକା ଛାତ୍ରୀଙ୍କୁ ଟ୍ୟୁସନ କରୁଥିବା ଶିକ୍ଷକ ଅସଦାଚରଣ କରିଥିବା ନେଇ ନାବାଳିକା ଛାତ୍ରୀଙ୍କ ମାଁ ସୋମବାର ଦାରିଙ୍ଗବାଡ଼ି ଥାନାରେ ଅଭିଯୋଗ କରିଛନ୍ତି।

ସୂଚନା ଥାଉକି, ଗତ ୨୦ ତାରିଖ ଦିନ ନାବାଳିକା ଛାତ୍ରୀ ଜଣକ ସକାଳୁ ଟ୍ୟୁସନରେ ପାଠ ପଢିବା ନିମନ୍ତେ ଦାରିଙ୍ଗବାଡି ସ୍ଥିତ ନିଳକନ୍ଦର ସାହିର ପ୍ରଶାନ୍ତ କୁମାର ସାହୁ ନାମକ ଜଣେ ଶିକ୍ଷକଙ୍କ ଘରକୁ ଯାଇଥିଲେ। ହେଲେ ଶିକ୍ଷକ ଜଣକ ପାଠ ପଢାଇବା ବାହାନାରେ ସେହି ନାବାଳିକା ଛାତ୍ରୀକୁ ଟ୍ୟୁସନ କରାଯାଉଥିବା କୋଠରୀରୁ ଘରର ଅନ୍ୟ ଏକ କୋଠରୀକୁ ଡାକି ଛାତ୍ରୀଙ୍କୁ ଅସଦାଚରଣ କରିଥିଲେ। ଏନେଇ ଛାତ୍ରୀ ଜଣକ ଘରକୁ ଫେରିବା ପରେ ମାଁ ଙ୍କୁ ସବୁ କଥା କହିଥିଲେ।

ଘଟଣା ଜାଣିବା ପରେ ଛାତ୍ରୀଙ୍କ ମାଁ ଏନେଇ ଥାନାରେ ଏତଲା ଦେଇଥିଲେ। ଏତଲାକୁ ଭିତ୍ତି କରି ଥାନାରେ ମାମଲା ରୁଜୁ କରି ପୁଲିସ ତଦନ୍ତ ଆରମ୍ଭ କରିଛି। ଖୂବଶୀଘ୍ର ନାବାଳିକା ଛାତ୍ରୀଙ୍କ ବୟାନ ରେକର୍ଡ କରାଯିବା ବୋଲି କହିବା ସହିତ ଘଟଣାର ତଦନ୍ତ ପରେ ଅଭିଯୁକ୍ତଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଦାରିଙ୍ଗବାଡ଼ି ଥାନାଅଧିକାରୀ କୈାଶିକ ମାଝୀ ପ୍ରକାଶ କରିଛନ୍ତି।

ସମ୍ପୃକ୍ତ ଶିକ୍ଷକ ଜଣକ ବର୍ତ୍ତମାନ ଦାରିଙ୍ଗବାଡ଼ି ବ୍ଲକ ପର୍ତମାହା ପଞ୍ଚାୟତର ଲତେସବାନ୍ଦା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଭାବରେ କାର୍ଯ୍ୟରତ ଅଛନ୍ତି।