ନୂତନ ସିଏଜି ଭାବେ ଶପଥ ନେଲେ ଗିରିଶ ଚନ୍ଦ୍ର ମୁର୍ମୁ

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରର ପୂର୍ବତନ ଉପରାଜ୍ୟପାଳ ଗିରିଶ ଚନ୍ଦ୍ର ମୁର୍ମୁ ଦେଶର ନୂତନ ସିଏଜି ରୂପେ ଶପଥ ନେଇଛନ୍ତି। ରାଷ୍ଟ୍ରପତି ଭବନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ନୂଆ ସିଏଜି ଶ୍ରୀ ମୁର୍ମୁଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଏହି ଉତ୍ସବରେ ଉପରାଷ୍ଟ୍ରପତି ଭେଙ୍କିୟା ନାୟଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ସମେତ କେନ୍ଦ୍ର କ୍ୟାବିନେଟର ସଦସ୍ୟମାନେ ଉପସ୍ଥିତ ଥିଲେ। ମୁର୍ମୁ ରାଜସ୍ଥାନ କେଡରର ୧୯୭୮ ବ୍ୟାଚର ଆଇଏଏସ୍ ଅଧିକାରୀ ରାଜୀବ ମହର୍ଷିଙ୍କ ସ୍ଥାନ ନେବେ ଯାହାଙ୍କ କାର୍ଯ୍ୟକାଳ ଅଗଷ୍ଟ ୭ରେ ଶେଷ ହୋଇଛି। ମୁର୍ମୁ ଦିନକ ପୂର୍ବରୁ ଜମ୍ମୁ-କଶ୍ମୀରର ଉପରାଜ୍ୟପାଳ ପଦରୁ ଇସ୍ତଫା ଦେଇଥିଲେ।

ସୂଚନାଯୋଗ୍ୟ, ଶ୍ରୀ ମୁର୍ମୁ ୧୯୮୫ ବ୍ୟାଚର ଆଇଏଏସ୍ ଅଧିକାରୀ। ଗୁଜରାତ କ୍ୟାଡରର ପୂର୍ବ ଆଇଏଏସ ଅଧିକାରୀ ୨୦୧୯ରେ ଜମ୍ମୁ-କଶ୍ମୀରର ଉପରାଜ୍ୟପାଳ ଭାବେ ନିଯୁକ୍ତ ହୋଇଥିଲେ। ଉପରାଜ୍ୟପାଳ ଭାବେ ନିଯୁକ୍ତ ହେବା ପୂର୍ବରୁ ସେ ଅର୍ଥ ମନ୍ତ୍ରଣାଳୟର ବ୍ୟୟ ସଚିବ ଥିଲେ। କେବଳ ଏତିକି ନୁହେଁ, ନରେନ୍ଦ୍ର ମୋଦୀ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିବା ସମୟରେ ଶ୍ରୀ ମୁର୍ମୁ ତାଙ୍କର ପ୍ରଧାନ ସଚିବ ଥିଲେ।